ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ଅଗ୍ରସର ହେବାପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ କାଳବୈଶାଖୀର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଏହାଫଳରେ ଆଶାତୀତ ଭାବେ ଦିନର ତାପମାତ୍ରା ହ୍ରାସ ପାଇଛି ।

ଆଜି ଅପରାହ୍ଣ ଅଢ଼େଇଟା ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା ୪୦ ଦଶମିକ ୮ ଡିଗ୍ରୀ ସେଲସ୍‍ସିୟସ୍‍ ରେକର୍ଡ଼ କରାଯାଇଛି । ସେହିଭଳି ହୀରାକୁଦରେ ୩୯, ସମ୍ବଲପୁରରେ ୩୮ ଦଶମିକ ୮, ଚାନ୍ଦବାଲିରେ ୩୭ ଦଶମିକ ୨ ଓ ଭୁବନେଶ୍ୱରରେ ୩୬ ଦଶମିକ ୨ ଡିଗ୍ରୀ ସେଲ୍‍ସିୟସ୍‍ ତାପମାତ୍ରା ରେକର୍ଡ଼ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୨୦ଟି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।