fbpx
BSKY SKY
BSKY SKY

ମୌସୁମୀର ଅନିୟମିତତାରେ ୧୭ ପ୍ରତିଶତ କମିଲା ଧାନବୁଣା, କ’ଣ ଗହମ ପରି ସ୍ଥିତି ଉପୁଜିବ ?

BSKY

ନୂଆଦିଲ୍ଲୀ: କିଛି ଦିନ ହେବ ସାରା ଦେଶରେ ଠିକ୍ ଭାବେ ମୌସୁମୀ ବର୍ଷା ହୋଇଛି। ଏହା ଖରିଫ ଫସଲର ବୁଣାକୁ ଗତି ପ୍ରଦାନ କରିଛି। ନିକଟରେ ହୋଇଥିବା ବର୍ଷା କାରଣରୁ ଖରିଫ ଫସଲ ବୁଣା ଗତ ସାତ ବର୍ଷରେ ରେକର୍ଡ ଭାଙ୍ଗିଛି। କିନ୍ତୁ ଦେଶର ପ୍ରମୁଖ ଧାନ ଉତ୍ପାଦନକାରୀ ଅଞ୍ଚଳଗୁଡିକରେ କମ ବର୍ଷା କାରଣରୁ ଧାନବୁଣା ଏଥର ବହୁ ପଛେଇ ଯାଇଛି। ଜୁଲାଇ ୧୫ ସୁଦ୍ଧା ଦେଶରେ ୧୨୮.୫୦ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ହୋଇଥିଲା। ଯାହା ଗତ ବର୍ଷ ତୂଳନାରେ ୧୭.୪ ପ୍ରତିଶତ କମ। ଗତ ବର୍ଷ ଏହି ସମୟରେ ଦେଶରେ ୧୫୫.୫୩ ଲକ୍ଷ ହେକ୍ଟର ଜମିରେ ଧାନବୁଣା ହୋଇଥିଲା।

ଦେଶରେ କମ ଧାନବୁଣା କାରଣରୁ କମ ଧାନ ଉତ୍ପାଦନର ଆଶଙ୍କା ସୃଷ୍ଟି ହୋଇଛି। ମାତ୍ର କୃଷି ବିଶେଷଜ୍ଞ ଏବଂ ବଜାର ସମୀକ୍ଷକଙ୍କ କହିବା କଥା କମ ଧାନବୁଣାରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଦେଶରେ ଚାଉଳ ଏବଂ ଧାନର ପର‌୍ୟ୍ୟାପ୍ତ ଭଣ୍ଡାର ରହିଛି। ଏବେ ତ ଧାନବୁଣା ସିଜିନ ସରିନାହିଁ। ଦେଶରେ ମୌସୁମୀ ଏବେ ସକ୍ରିୟ ରହିଛି। ଆଗାମୀ ସମୟରେ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟଗୁଡିକରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭରି ରହିଛି ଭଣ୍ଡାର

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ଦେଶରେ ସରକାରୀ ଗୋଦାମରେ ଜୁଲାଇ ୧ ସୁଦ୍ଧା ୪୭.୨ ମିଲିୟନ ଟନ ଧାନ ଗଚ୍ଛିତ ରହିଛି। ଏହା ମୋଟ୍ ବାର୍ଷିକ ଆବଶ୍ୟକତାଠୁ ସାଢେ ତିନି ଗୁଣ ଅଧିକ। ଚାଉଳର ଷ୍ଟକ ଗତ ବର୍ଷର ଉଚ୍ଚତମ ସ୍ତର ସହିତ ପାଖପାଖି ରହିଛି। ଯେଉଁଭଳି ଗୋଟିଏ ସିଜିନରେ ଉତ୍ପାଦନ କମ୍ ହେବାରୁ ଗହମ ମହଜୁଦରେ ହ୍ରାସ ଘଟିଥିଲା, ଠିକ୍ ସେହି ପରି କମ ଧାନ ବୁଣାକୁ ଭଲ ସଙ୍କେତ ମାନୁ ନାହାନ୍ତି ବିଶେଷଜ୍ଞ। ୨୦୨୨ରେ ଲୁ କାରଣରୁ ଦେଶରେ ଗହମର ଉତ୍ପାଦନ କମ ହେବାରୁ ଦେଶରେ ଗହମ ଭଣ୍ଡାର ସର୍ବକାଳୀନ ଉତ୍ପାଦନ ହେବା ବଦଳରେ ସିଧା ୧୪ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା।

ମୁଖ୍ୟ ଫସଲ ହେଉଛି ଚାଉଳ

ଭାରତର ଚାଷରେ ଧାନ ହେଉଛି ପ୍ରମୁଖ ଫସଲ। ଦେଶରେ ମୋଟ୍ ଖାଦ୍ୟାନ୍ନରେ ଧାନର ଭାଗିଦାରୀ ୪୦ ପ୍ରତିଶତ ରହିଛି। କେବଳ ଏତିକି ନୁହେଁ ଭାରତ ଦୁନିଆର ସବୁଠୁ ବଡ ଚାଉଳ ରପ୍ତାନକାରୀ ଦେଶ। ୨୦୨୨ ମାର୍ଚ୍ଚ ସରିଥିବା ଆର୍ଥିକ ବର୍ଷରେ ଭାରତ ୨୧.୨୨ ମେଟ୍ରିକ ଟନ ଚାଉଳ ରପ୍ତାନୀ କରିଥିଲା। ଯଦି କୌଣସି ପ୍ରକାରରେ ଧାନ ଉତ୍ପାଦନରେ ହ୍ରାସ ଘଟେ ତେବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିପାରେ। କାରଣ ବୈଶ୍ଵିକ ଚାଉଳ କାରବାରରେ ଭାରତର ଭାଗିଦାରୀ ୪୦ ପ୍ରତିଶତ ରହିଛି।

 

Get real time updates directly on you device, subscribe now.