fbpx

ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ମେଡିକାଲ ବୋର୍ଡ: AIIMSର ୫ ଡାକ୍ତର କରିବେ

ନୂଆଦିଲ୍ଲୀ: ତିହାର ଜେଲରେ ଅସୁସ୍ଥତା ଯୋଗୁଁ ଚିକିତ୍ସା ଖୋଜିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଚେକ୍-ଅପ୍ ପାଇଁ ଗଠନ କରାଯାଇଛି ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ । ଦିଲ୍ଲୀ ଏମ୍ସର ୫ ଜଣ ଡାକ୍ତରଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ଦାୟିତ୍ୱ ଦିଆଯାଇଛି । ମାନ୍ୟବର ଅଦାଲତଙ୍କ ଆଦେଶ ପରେ ଏପ୍ରିଲ ୨୩ ତାରିଖରେ ଏହି ନିଷ୍ପତ୍ତି ହୋଇଛି । ଏହି ମେଡିକାଲ ବୋର୍ଡର ମୁଖ୍ୟ ଦାୟିତ୍ୱରେ ରହିଛନ୍ତି ଡା. ନିଖିଳ ଟଣ୍ଡନ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଏପ୍ରିଲ ୨୨ ତାରିଖରୁ ଲଗାତାର ଇନସୁଲିନ ଦିଆଯାଉଛି ।

ତିହାର ଜେଲରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ପୋଲିସ ମହାନିର୍ଦ୍ଦେଶକଙ୍କ ପତ୍ର ଅନୁସାରେ, ଏମ୍ସରୁ ଡା. ନିଖିଳ ଟଣ୍ଡନଙ୍କୁ ନିଯୁକ୍ତ କରାଯାଇଥିଲା । ବର୍ତ୍ତମାନ ତାଙ୍କ ନେତୃତ୍ୱରେ କେଜରିୱାଲଙ୍କ ଚିକିତ୍ସା ପାଇଁ ଏକ ୫ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଖୁବଶୀଘ୍ର ଏହି ବୋର୍ଡ ତିହାର ଜେଲରେ ପହଞ୍ଚି ଚେକ୍-ଅପ୍ ଆରମ୍ଭ କରିବ ବୋଲି ଜାଣିବାକୁ ମିଳିଛି । ତିହାର ଜେଲରେ ଡାକ୍ତର ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ ସୁଗାର ଲେବୁଲ ଚେକ୍ କରିବା ସହ ଏହା ଉପରେ ନଜର ରଖିଛନ୍ତି ।

ଏହାସହିତ ଗତ ୨୨ ତାରିଖରୁ କେଜରିୱାଲଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ୨ ୟୁନିଟ ଇନସୁଲିନ(ଲୋ ଡୋଜ୍) ଦିଆଯାଉଥିବା ବେଳେ ରାତ୍ରିଭୋଜନ ପୂର୍ବରୁ ମଧ୍ୟ ୨ ୟୁନିଟ ଇନସୁଲିନ(ଲୋ ଡୋଜ୍) ଦିଆଯାଉଛି । ଅଦାଲତର ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଛି ।

ସୂଚନା ଅନୁସାରେ, ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏହି ଚିଠିରେ କହିଛନ୍ତି ଯେ, ତିହାର ଜେଲ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଏକ ନିର୍ୟାତନା କୋଠରୀରେ ପରିଣତ ହୋଇଛି। ସୂତ୍ରରୁ ଜଣାଯାଇଛି ଯେ, ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ (ପିଏମଓ) କେଜ୍ରିୱାଲଙ୍କ ଉପରେ ଗୁପ୍ତଚର ଙ୍କ ଭଳି ଦିନରାତି ନଜର ରଖିଛନ୍ତି ବୋଲି ଚିଠିରେ କହିଛନ୍ତି ଆପ୍ ନେତା ସଞ୍ଜୟ ସିଂ ।

Get real time updates directly on you device, subscribe now.