fbpx

ମୋବାଇଲ ସ୍କ୍ରିନରେ ଅଧିକ ସମୟ ବିତାଇବା ଦ୍ଵାରା ଛୋଟ ଛୁଆଙ୍କଠାରେ ବଢୁଛି ହୃଦୟ ରୋଗର ଆଶଙ୍କା: ରିପୋର୍ଟ

ଆଜିକାଲିର ଆଧୁନିକ ଜୀବନଶୈଳୀ ସହ ବଦଳୁଛି ଲୋକଙ୍କ ରୁଚି । ତେବେ ଏଥିରୁ ବାଦ ପଡୁନାହାନ୍ତି ଛୋଟ ଛୁଆ । ବର୍ତ୍ତମାନ ଏଭଳି ସମୟ ହୋଇଯାଇଛି ଯେ, ଫୋନ୍‌ ଟ୍ୟାବ ଏବଂ ଟିଭି ବିନା ଛୁଆ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି ।

ଏହିପରି ଆଜିକାଲି ପିଲାମାନଙ୍କ ମଧ୍ୟରେ ସ୍କ୍ରିନ୍‌ଯୁକ୍ତ ସ୍ମାର୍ଟ ଗାଜେଟ୍‌ ବ୍ୟବହାର ବୃଦ୍ଧି ପାଉଛି । ପ୍ରତି କଥାରେ ଫୋନ୍‌ କିମ୍ବା ଟ୍ୟାବ୍‌ ବ୍ୟବହାର କରୁଛନ୍ତି ଛୁଆ । ତେବେ ଏହା ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଅଧିକ ସମୟ ସ୍କ୍ରିନ୍‌କୁ ଦେଖିବା ଦ୍ବାରା ଛୋଟ ଛୁଆଙ୍କର ନ୍ୟୁରୋଲୋଜିକାଲ୍‌ ଡେଭଲପମେଣ୍ଟ୍‌ ଏବଂ ସୋସିଆଲ୍‌ ଡେଭଲପମେଣ୍ଟ୍‌ ଉପରେ ଖରାପ ପ୍ରଭାବ ପଡ଼ୁଥିବା ନେଇ ରିପୋର୍ଟରେ କୁହାଯାଇଛି । ଏହି କାରଣରୁ ଛୁଆଙ୍କ କ୍ଷେତ୍ରରେ ସ୍ନାୟୁଗତ ରୋଗ ବୃଦ୍ଧି ହେବାର ଆଶଙ୍କା ଅଧିକ ରହିଥାଏ ବୋଲି କୁହାଯାଇଛି ।

ଏହି କାରଣରୁ ଛୁଆଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍‌ ଆଶଙ୍କା ବୃଦ୍ଧି ପାଉଛି: ଇଷ୍ଟର୍ଣ୍ଣ ଫିନ୍‌ଲ୍ୟାଣ୍ଡ୍‌ ବିଶ୍ୱବିଦ୍ୟାଳୟ ଏବଂ ୟୁରୋପୀୟ ସୋସାଇଟି ଅଫ୍ କାର୍ଡିଓଲୋଜି କଂଗ୍ରେସ 2023 ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ବର୍ତ୍ତମାନର ସମୟରେ ଛୋଟଛୁଆ ଅଧିକ ଫୋନ୍ ବ୍ୟବହାର କରନ୍ତି । ତେଣୁ ଅଳ୍ପ ବୟସରେ ହୃଦଘାତର ଆଶଙ୍କା ବୃଦ୍ଧି ପାଉଛି । କାରଣ ଫୋନ ଦେଖିବା ବେଳେ ଛୁଆ ଶାରୀରିକ ଭାବେ ସକ୍ରିୟ ହୁଅନ୍ତି ନାହିଁ । ଯେଉଁ ପିଲାମାନେ କମ୍ ସକ୍ରିୟ ଥାଆନ୍ତି, ସେମାନଙ୍କ ନିକଟରେ ହୃଦୟ ଏବଂ ଷ୍ଟ୍ରୋକ୍ ହେବାର ଯଥେଷ୍ଟ ଆଶଙ୍କା ଥାଏ । ସେମାନଙ୍କ କ୍ଷେତ୍ରରେ ଓଜନ ଏବଂ ଚାପ ନିୟନ୍ତ୍ରଣରେ ଥିଲେ ମଧ୍ୟ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ । 1990 ଏବଂ 1991ରେ ଜନ୍ମ ହୋଇଥିବା 14,500 ପିଲାଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା । ତେବେ ଅନୁସନ୍ଧାନ ସମୟରେ ଯେଉଁମାନେ ଅଧିକ ସମୟ ଫୋନ କିମ୍ବା ଟ୍ୟାବ୍‌ରେ ବିତାଉଥିଲେ ସେମାନେ ଗମ୍ଭୀର ଇକୋକାର୍ଡିଓଗ୍ରାଫିରେ ପୀଡିତ ହୋଇଥିଲେ।

ଏହି ରୋଗର ଆଶଙ୍କା ମଧ୍ୟ ବୃଦ୍ଧି: ଯେଉଁ ପିଲାମାନେ ଶାରୀରିକ ଭାବରେ ସକ୍ରିୟ ନଥାନ୍ତି, ସେମାନେ ଅଳ୍ପ ବୟସରେ ମେଦବହୁଳତା ଏବଂ ଟାଇପ୍-୨ ମଧୁମେହର ଶିକାର ହୋଇଥାଏ । ମୋଟାପା ଏବଂ ମଧୁମେହ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଏହିପରି ପିଲାମାନଙ୍କଠାରେ ନ୍ୟୁରୋଡେଜେନେରେଟିଭ୍ ରୋଗ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଆଜିକାଲିର ଛୁଆ ସ୍ମାର୍ଟ୍‌ଫୋନ୍‌ର ଅଧିକ ବ୍ୟବହାର ଯୋଗୁଁ ସାମଜଠାରୁ ମଧ୍ୟ ଦୂରେଇ ରହିଥାଆନ୍ତି ।

କିଭଳି କମ କରିବେ ସ୍କ୍ରିନ୍‌ ଟାଇମ:

ଆଜିକା ସମୟରେ ପିତାମାତା ଉଭୟ ଚାକିରି କରୁଥିବାକୁ ଛୁଆକୁ ଅଧିକ ସମୟ ଦେଇପାରନ୍ତି ନାହିଁ । ତେଣୁ ଏଭଳି ସ୍ଥିତିରେ ସେମାନେ ଫୋନରେ ଅଧିକ ସମୟ ବିତାଇ ଥାଆନ୍ତି । ତେବେ ଛୁଆଙ୍କ ସହ କଥାବାର୍ତ୍ତା କରିବା ବା ସେମାନଙ୍କ ସହ ଖେଳିବା ଦ୍ବାରା ସେମାନେ ଫୋନ ଠାରୁ ଦୂରେଇ ରହିପାରିବେ।
ଛୁଆ ଘରେ ରହିବା ସମୟରେ ହସ୍ତଶିଳ୍ପ, ଚିତ୍ରାଙ୍କନ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ସାମିଲ କରନ୍ତୁ।
ଛୁଆଙ୍କୁ ପାର୍କ କିମ୍ବା ବୁଲେଇବା ପାଇଁ ବାହାରକୁ ନିଅନ୍ତୁ।

Get real time updates directly on you device, subscribe now.