fbpx

ଲକ୍ଷ୍ୟ ସେନ ମୋଠୁ ବହୁ ଗୁଣରେ ଭଲ ଖେଳିଛନ୍ତି, ୨୦୨୮ ଲସଏଞ୍ଜେଲସ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ଜିତିବେ କହିଲେ ଭିକ୍ଟର ଏକ୍ସେଲସନ

ଓଡିଶା ଭାସ୍କର: ଅଲମ୍ପିକ୍ସ ଚାମ୍ପିଅନ ଭିକ୍ଟର ଏକ୍ସେଲସନ ଓ ଭାରତୀୟ ସୁପରଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କ ମଧ୍ୟରେ ପୁରୁଷ ଏକକ ସେମିଫାଇନାଲ ମ୍ୟାଚରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା । ମ୍ୟାଚ ଶେଷ ନ ହେବା ପର୍ଯ୍ୟନ୍ତ କିଏ ହାରିବ କିଏ ଜିତିବ ତାହା କ୍ଷଣକ ପାଇଁ ବି ଜଣା ପଡୁ ନଥିଲା । ଡେନମାର୍କର ଡିଫେଣ୍ଡିଂ ଚାମ୍ପିଅନ ସହ ଲଢୁଥିଲେ ଯୁବ ତଥା ଭାରତର ଭବିଷ୍ୟତ ତଥା ଉଦୟମାନ ବ୍ୟାଡମିଣ୍ଟନ ସୁପରଷ୍ଟାର ଲକ୍ଷ୍ୟସେନ ।

ପ୍ୟାରିସରେ ଖେଳାଯାଇଥିବା ଏହି ସେମିଫାଇନାଲରେ ଉଭୟ ଗେମରେ ଲକ୍ଷ୍ୟ ସେନ ଆଗୁଆ ଚାଲୁଥିଲେ । ମାତ୍ର ପ୍ରସିଦ୍ଧ ଡେନମାର୍କ ଖେଳାଳି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିନେଇ ଉଭୟ ଗେମକୁ ସିଧାସଳଖ ଭାବରେ ୨୨-୨୦, ୨୨-୧୪ ରେ ଜିତି ନେଇ ଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲେ । ଏହି ରୋମାଞ୍ଚଭରା ମ୍ୟାଚ ପ୍ରାୟ ୫୪ ମିନିଟ ପର୍ଯ୍ୟନ୍ତ ଖେଳାଯାଇଥିଲା ।

ମ୍ୟାଚ ଜିତିବା ପରେ ଡେନମାର୍କ ଖେଳାଳି ଭିକ୍ଟର ଏକ୍ସେଲସନ କହିଛନ୍ତି ଯେ, ୨୦୨୮ ମସିହାରେ ହେବାକୁ ଥିବା ଲସଏଞ୍ଜେଲସ ଅଲିମ୍ପିକ୍ସରେ ଲକ୍ଷ୍ୟ ସେନ ନିଶ୍ଚିତଭାବରେ ସୁନା ହିଁ ଜିତିବେ । ତାଙ୍କର ଏହି ଭବିଷ୍ୟବାଣୀ କହି ଦେଉଛି, ଲକ୍ଷ୍ୟସେନ ସେମିଫାଇନାଲରେ ଭିକ୍ଟରଙ୍କୁ କେତେ ଆହ୍ୱାନ ଦେଇଥିଲେ । ସହଜରେ ଭିକ୍ଟର ଫାଇନାଲ ପ୍ରବେଶ କରି ନାହାନ୍ତି । ଫାଇନାଲ ପ୍ରବେଶ ରାସ୍ତା ବେଶ କଠିନ ଥିଲା ବୋଲି ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଭିକ୍ଟର କହିଛନ୍ତି ।

Get real time updates directly on you device, subscribe now.