fbpx

‘ଏସିଆ କୁଇନ୍’ ସାଜିଲା ଶ୍ରୀଲଙ୍କା: ଭାରତ ହାତରୁ ଖସିଗଲା ଅଷ୍ଟମ ଟାଇଟଲ

ନୂଆଦିଲ୍ଲୀ: ମହିଳା ଏସିଆ କପ୍-୨୦୨୪ର ଫାଇନାଲ ମ୍ୟାଚରେ ଭାଙ୍ଗିଯାଇଛି ସବୁ ଭାରତୀୟଙ୍କ ହୃଦୟ । ରୋହିତ ସେନା ଭାରତକୁ ଟି-୨୦ ବିଶ୍ୱକପ ଭେଟି ଦେବା ପରେ ହରମନପ୍ରୀତ କୌର ଏସିଆ କପ୍ ଆଣିବାରେ ସଫଳ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ କୋଟି କୋଟି ଭାରତୀୟଙ୍କ ଏହି ଆଶା ଓ ସ୍ୱପ୍ନ ଭାଙ୍ଗିଯାଇଛି । ଫାଇନାଲ ମ୍ୟାଚରେ ଭାରତକୁ ପରାସ୍ତ କରି ଏସିଆ କପ୍-୨୦୨୪ର ଚମ୍ପିଆନ୍ ପାଲଟିଛି ଶ୍ରୀଲଙ୍କା ମହିଳା ଦଳ । ଅଧିନାୟକ ଚମାରୀ ଆଥାପଟ୍ଟୁ ଏବଂ ହର୍ଷିତା ସମରବିକ୍ରମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଶ୍ରୀଲଙ୍କା ଆଜି ଭାରତକୁ ହରାଇ ‘ଏସିଆ କୁଇନ୍’ ପାଲଟିଛି ।

ଏସିଆ କପ୍ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୧୬୬ ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଆ । ତେବେ ଏହି ଲକ୍ଷ୍ୟ ଶ୍ରୀଲଙ୍କା ପାଇଁ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଥିବା ବେଳେ ଦଳ ଏହାକୁ ଖୁବ ସହଜରେ ହାସଲ କରିନେଇଛି । ୧.୨ ଓଭର ବାକି ଥାଇ ୮ ୱିକେଟରେ ଏହି ବିଜୟ ହାସଲ କରିଛି ଶ୍ରୀଲଙ୍କା । ପ୍ରାରମ୍ଭିକ ଝଟକା ପରେ ଅଧିନାୟକ ଚମାରୀ ଆଥାପଟ୍ଟୁ ଏବଂ ହର୍ଷିତା ସମରବିକ୍ରମା ଦଳକୁ ସମ୍ଭାଳିବା ସହ ବିଜୟର ଖୁବ ନିକଟତର କରାଇଥିଲେ । ତେବେ ଏହାପରେ ହର୍ଷିତା ଏବଂ କଭିସା ଦିଲହାରୀ ଶେଷରେ ଶ୍ରୀଲଙ୍କାକୁ ବିଜୟୀ କରାଇବାରେ ସଫଳ ହୋଇଛନ୍ତି ।

୧୬୬ ରନର ବିଜୟ ଲକ୍ଷ୍ୟ ନେଇ ଭିଷ୍ମୀ ଗୁଣାରତ୍ନେ ଏବଂ ଚମାରୀ ଆଥାପଟ୍ଟୁ ଯୋଡ଼ି ମଇଦାନକୁ ଓହ୍ଲାଇଥିଲା । କିନ୍ତୁ ମାତ୍ର ୭ ରନରେ ଭିଷ୍ମୀ ନିଜ ୱିକେଟ ହରାଇଥିଲେ । ଏହାପରେ ଅଧିନାୟକ ଚମାରୀ ଆଥାପଟ୍ଟୁ ଏବଂ ହର୍ଷିତା ସମରବିକ୍ରମାଙ୍କ ମଧ୍ୟରେ ୮୭ ରନର ଭାଗିଦାରୀ ଶ୍ରୀଲଙ୍କାକୁ ବିଜୟର ନିକଟତର କରାଇଥିଲା । ଏହାମଧ୍ୟରେ ଅଧିନାୟକ ଚମାରୀ ଆଥାପଟ୍ଟୁ ମାତ୍ର ୪୩ ବଲରୁ ୯ଟି ଚୌକା ଏବଂ ୨ଟି ଛକା ସହ ୬୧ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ । ଏହାପରେ ହର୍ଷିତା ସମରବିକ୍ରମା ଏବଂ କଭିସା ଦିଲହାରୀ ଦଳର ବିଜୟ ରନ୍ ସଂଗ୍ରହ କରିଛନ୍ତି । ହର୍ଷିତା ୫୧ ବଲରୁ ୬ଟି ଚୌକା ଏବଂ ୨ଟି ଛକା ସହ ସର୍ବାଧିକ ୬୯ ରନ୍ କରିଥିବା ବେଳେ ଦିଲହାରୀ ୧୬ ବଲରୁ ଗୋଟିଏ ଚୌକା ଏବଂ ୨ଟି ଛକା ସହିତ ୩୦ ରନ୍ କରିଛନ୍ତି । ତେବେ ୧୮.୪ ଓଭରରେ ଭାରତକୁ ପରାସ୍ତ କରି ଶ୍ରୀଲଙ୍କା ଏସିଆ କପ୍ ଟ୍ରଫି ନିଜର କରିଛି । ଟିମ ଇଣ୍ଡିଆ ପକ୍ଷରୁ କେବଳ ଦିପ୍ତୀ ଶର୍ମା ଗୋଟିଏ ସଫଳତା ପାଇଛନ୍ତି । ଏହାସହିତ ଟିମ ଇଣ୍ଡିଆର ଅଷ୍ଟମ ଟ୍ରଫି ଆଶା ଭାଙ୍ଗି ଯାଇଛି ।

Get real time updates directly on you device, subscribe now.