fbpx

ଭାରତ ସମେତ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର)ଭାରତ ଏବଂ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା । ଶ୍ରୀଲଙ୍କା କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ଏହି ନୀତିକୁ ଅନୁମୋଦନ କରିଥିବା କହିଛନ୍ତି ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲ୍ଲୀ ସାବରୀ । ସେ ଏକ ବିବୃତିରେ କହିଛନ୍ତି ଯେ ଏହା ଏକ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଭାରତ, ଚୀନ, ରୁଷିଆ, ମାଲେସିଆ, ଜାପାନ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଦେଶ ଭିତରକୁ ମାଗଣା ପ୍ରବେଶକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ଏହି ସବୁ ଦେଶର ପର୍ଯ୍ୟଟକମାନେ ଶ୍ରୀଲଙ୍କା ଗସ୍ତ ସମୟରେ ବିନା ଶୁଳ୍କରେ ଭିସା ପାଇ ପାରିବେ। ଭାରତ ପାରମ୍ପରିକ ଭାବେ ଶ୍ରୀଲଙ୍କାର ଶୀର୍ଷ ପର୍ଯ୍ୟଟନ ବଜାର। ସେପ୍ଟେମ୍ବର ମାସରେ ପର୍ଯ୍ୟଟକ ଆଗମନ ସଂଖ୍ୟାରେ ଭାରତ ୩୦,୦୦୦ରୁ ଅଧିକ ବା ୨୬ ପ୍ରତିଶତ ପର୍ଯ୍ୟଟକଙ୍କ ସହ ଶୀର୍ଷରେ ଥିବା ବେଳେ ଚୀନ୍‌ ପର୍ଯ୍ୟଟକମାନେ ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ଭାବେ ୮,୦୦୦ରୁ ଅଧିକ ସଂଖ୍ୟାରେ ଆଗମନ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୯ର ଇଷ୍ଟର ସନେ୍‌ଡ ବୋମା ବିସ୍ଫୋରଣ ପରେ ଏହି ଦ୍ୱୀପକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲା, ଯେଉଁଥିରେ ୧୧ ଭାରତୀୟଙ୍କ ସମେତ ୨୭୦ ଜଣ ପ୍ରାଣ ହରାଇଥିଲେ ଏବଂ ୫୦୦ରୁ ଅଧିକ ଆହତ ହୋଇଥିଲେ।

Get real time updates directly on you device, subscribe now.