fbpx

ଶ୍ରୀଲଙ୍କାରେ ତ୍ରାହି ତ୍ରାହି, ରାଷ୍ଟ୍ରୀୟ ଏୟାରଲାଇନ ବିକିବେ ପ୍ରଧାନମନ୍ତ୍ରୀ ବିକ୍ରମାସିଂହେ

Advertisement

ନୂଆଦିଲ୍ଲୀ: ବିପର୍ଯ୍ୟସ୍ତ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ରସାତଳଗାମୀ ଦେଶର ଅର୍ଥବ୍ୟବସ୍ଥା। ସ୍ଥିତି ଏମିତି ଯେ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ସରକାରଙ୍କଠାରେ ପଇସା ନାହିଁ। ଏମିତି ଘଡିସନ୍ଧି ମୁହୂର୍ତ୍ତରେ ଦେଶର ଅର୍ଥବ୍ୟବସ୍ଥାକୁ ସଞ୍ଜିବନୀ ଦେବା ଉଦ୍ୟମରେ ନିଜର ରାଷ୍ଟ୍ରୀୟ ଏୟାରଲାଇନ ବିକ୍ରି କରିବାକୁ ଯୋଜନା କରିଛନ୍ତି ଶ୍ରୀଲଙ୍କାର ନୂତନ ସରକାର। ଏପରିକି ସରକାରୀ କର୍ମଚାରୀଙ୍କ ବେତନ ପାଇଁ ନୋଟ୍ ଛାପିବା ପାଇଁ ବାଧ୍ୟ କରାଯାଉଛି। ଶ୍ରୀଲଙ୍କାରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କୁ ଗାଦିରୁ ହଟାଇବାକୁ ଦାବି ଜୋର ଧରିଛି।

ଭୟଙ୍କର ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂହେ ସୋମବାର ସରକାରୀ ବିମାନ କମ୍ପାନୀ ଶ୍ରୀଲଙ୍କାନ ଏୟାରଲାଇନର ଘରୋଇକରଣର ପ୍ରସ୍ତାବ ରଖିଛନ୍ତି। ବିକ୍ରମାସିଂହେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଦେଶକୁ ସମ୍ବୋଧିତ କରି କହିଥିଲେ ଯେ, ଘାଟାରେ ଚାଲିଥିବା ଶ୍ରୀଲଙ୍କନ ଏୟାର ଲାଇନର ଘରୋଇକରଣ କରାଯାଉ। ଇକନୋମି ନେକ୍ଷ୍ଟର ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଦ୍ଵାରା ଏମିରାଟକୁ ଏୟାରଲାଇନର ପ୍ରବନ୍ଧ ଭାଗିଦାରୀରୁ ହଟାଇବା ପରେ ଶ୍ରୀଲଙ୍କା ଏୟାରଲାଇନର ବଡ କ୍ଷତି ଘଟିଛି।

ବିକ୍ରମାସିଙ୍ଗେ କହିଛନ୍ତି, ଯଦି ଆମେ ଏହାର ଘରୋଇକରଣ କରୁ ତଥାପି ଆମକୁ କ୍ଷତି ସହିବାକୁ ପଡିବ। ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡିବ ଯେ, ଏହାର କ୍ଷତି ସବୁଠୁ ଗରିବ ବ୍ୟକ୍ତିଙ୍କୁ ଉଠାଇବାକୁ ପଡୁଛି, ଯେଉଁମାନେ କେବେ ବି ବିମାନ ଯାତ୍ରା କରି ନାହାନ୍ତି। ୨୦୧୫ରୁ ୨୦୧୯ ନିଜର ପୂର୍ବ କାର୍ଯ୍ୟକାଳରେ ସେ ଶ୍ରୀଲଙ୍କାର ଏୟାରଲାଇନକୁ ଘରୋଇକରଣ କରିବାରେ ବିଫଳ ରହିଥିଲେ। ୧୯୭୯ରୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କନ ଏୟାରଲାଇନ ନିକଟରେ ୬୧ ଦେଶରେ ୧୨୬ ଗନ୍ତବ୍ୟସ୍ଥଳକୁ ଯାତ୍ରାୟତ କରିବାର ନେଟଓ୍ଵର୍କ ରହିଛି।

୧୯୪୮ରେ ସ୍ଵାଧୀନ ପରଠୁ ଶ୍ରୀଲଙ୍କା ସବୁଠୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ବିଦେଶୀ ମୁଦ୍ରା ଭଣ୍ଡାର ଶୂନ୍ୟ ହୋଇ ସାରିଛି। ଦେଶରେ ପେଟ୍ରୋଲ ସରିବାକୁ ବସିଛି। ଇନ୍ଧନ, ରୋଷେଇ ଗ୍ୟାସ୍ ଏବଂ ଅନ୍ୟ ଜରୁରୀ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଜନତାଙ୍କୁ ବେହାଲ କରି ଦେଇଛି। ରାଜପକ୍ଷେ ସରକାରଙ୍କୁ ହଟାଇବା ପାଇଁ ଲୋକେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରି ଦେଲେଣି।

Get real time updates directly on you device, subscribe now.