fbpx

ଟି-୨୦ ବିଶ୍ଵ କପ ଆରମ୍ଭରୁ ଶ୍ରୀଲଙ୍କାକୁ ଝଟକା, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପର ଅଷ୍ଟମ ସଂସ୍କରଣ ଅକ୍ଟୋବର ୧୬ ଅର୍ଥାତ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଏବଂ ନାମିବିୟା। ତେବେ ନିଜର ଅଭିଯାନ ଆରମ୍ଭରୁ ଶ୍ରୀଲଙ୍କାକୁ ଲାଗିଛି ଜୋରଦାର ଝଟକା। ଆହତ କାରଣରୁ ଦଳର ଷ୍ଟାର ବୋଲର ଦିଲସାନ ମଧୁଶଙ୍କା ବିଶ୍ଵ କପରୁ ବାଦ୍ ପଡିଛନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଅଭ୍ୟାସ ସମୟରେ ତାଙ୍କୁ ଏହି ଆଘାତ ଲାଗିଥିଲା। ତାଙ୍କ ସ୍ଥାନରେ ବିନୁରା ଫର୍ଣ୍ଣଡୋଙ୍କୁ ଦଳରେ ସାମିଲ୍ କରାଯାଇଛି।

ଆଇସିସି କହିଛି, ଟି-୨୦ ବିଶ୍ଵ କପର ବୈଷେୟିକ କିମଟି ଆହତ ବୋଲର ଦିଲସାନ ମଧୁଶଙ୍କାଙ୍କ ସ୍ଥାନରେ ବିନୁରା ଫର୍ଣ୍ଣାଡୋଙ୍କୁ ଶ୍ରୀଲଙ୍କା ଦଳରେ ସାମିଲ୍ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ମଧୁଶଙ୍କାଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଛି। ତେଣୁ ତାଙ୍କୁ ବିଶ୍ଵ କପରୁ ବାଦ୍ ପଡିବାକୁ ପଡିଛି। ତାଙ୍କ ବଦଳ ଖେଳାଳି ଫର୍ଣ୍ଣାଡୋ ଅଦ୍ୟାବଧି ନଅଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ଶ୍ରୀଲଙ୍କାରୁ ଯାତ୍ରା କରି ଅଷ୍ଟ୍ରେଲିଆରେ ପହଞ୍ଚିବେ।

ମଧୁଶଙ୍କା ଶନିବାର ଦଳର ଅଭ୍ୟାସ୍ ସେସନରେ ଯୋଗ ଦେଇନଥିଲେ। ତାଙ୍କୁ ଏମଆରଆଇ ସ୍କାନ ପାଇଁ ପଠାଯାଇଥିଲା। ରିପୋର୍ଟରେ ତାଙ୍କୁ ଗମ୍ଭୀର ଆଘାତ ଲାଗିଥିବା ଜଣା ପଡିଛି। ଦିଲସାନ ମଧୁଶଙ୍କା ଦଳରୁ ବାଦ୍ ପଡିବା ଶ୍ରୀଲଙ୍କା ପାଇଁ ବହୁତ ବଡ ଝଟକା। କାରଣ ଏହି ବୋଲର ଏସିଆ କପରେ ଚମତ୍କାର ବୋଲିଂ କରିଥିଲେ ଏବଂ ଦଳକୁ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Get real time updates directly on you device, subscribe now.