fbpx

ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ;ହେଲାନି ରତ୍ନଭଣ୍ଡାର ଆଲୋଚନା

ପୁରୀ:ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି।ତେବେ ବୈଠକରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା କିମ୍ବା ମରାମତି ପାଇଁ କୈାଣସି ଆଲୋଚନା କରାଯାଇନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହା ଏଜେଣ୍ଡାରେ ନଥିବାରୁ ବୈଠକରେ ଆଲୋଚନା ହୋଇନାହିଁ। ଭିତର ରତ୍ନଭଣ୍ଡାର ଦୁର୍ବଳ ଓ ଖରାପ ଥିବା ପୂର୍ବରୁ ଏଏସଆଇ ସୁପରିଟେଡେଣ୍ଟ ଜଣାଇଥିବାରୁ ଏହାର ମରାମତି ଆବଶ୍ୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି ପ୍ରତିକ୍ରିୟା ରଖିଛନ୍ତି। ପରିଚାଳନା କମିଟି ବୈଠକର ମୁଖ୍ୟ ଫୋକସ୍ ଥିଲା କାର୍ତ୍ତିକ ମାସ ନୀତି ଶୃଙ୍ଖଳିତ କରିବା, ସେବାୟତ ପରିବାରର ପାଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ଓ ସେବାୟତ ଆବାସ ଯୋଜନା।

ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଗତ ୨୨ ତାରିଖରେ ବସିଥିବା ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। କାର୍ତ୍ତିକ ମାସରେ ଶୃଙ୍ଖଳିତ ନୀତି, ଦର୍ଶନ ବ୍ୟବସ୍ଥା, ସୁବିଧାରେ ମହାପ୍ରସାଦ ଯୋଗାଣ ନେଇ ବୈଠକରେ ଆଲୋଚନା ହୋଇଛି। ପୁରୀ, ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁଙ୍କ ଜମି ପାଇଁ ଓଡ଼ିଶା ସ୍ପେସ ଆପ୍ଲିକେସନ ସେଣ୍ଟର ବା ଓସାକ୍ କୁ ଦାୟିତ୍ଵ ଦିଆଯାଇଛି। ସମସ୍ତ ଜମିର ଏରିଏଲ୍ ସର୍ଭେ କରାଯିବା ପରେ ପ୍ରକଳ୍ପ ପ୍ରସ୍ତୁତ କରି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିବ। ପରେ କମିଟି ଆଲୋଚନା କରି ରାଜ୍ୟ ସରକାରଙ୍କୁ ପଠାଇବ। ସମସ୍ତ ଜମି ରେକର୍ଡର ଡିଜିଟାଇଜେସନ ଓ ଡାଟାବେସ୍‌ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।‌ ସେହିପରି ଆଦର୍ଶ ଗୁରୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମି ଲିଜରେ ଦିଆଯାଇଛି।‌ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ ପଞ୍ଜିକରଣ ପାଇଁ ଆବେଦନ କରାଯାଇଛି। ଆସନ୍ତା ପରିଚାଳନା କମିଟି ବୈଠକରେ ବିର୍ଲା ଫାଉଣ୍ଡେସନ ସହ ମାଷ୍ଟର ପ୍ଲାନ୍ ନେଇ ବିସ୍ତୃତ ଆଲୋଚନା କରାଯିବ। ସେହିପରି ବୈଠକରେ ସେବାୟତ ବାସଗୃହ ଯୋଜନା ଅଗ୍ରଗତିର ସମୀକ୍ଷା କରାଯାଇଛି। ହରଚଣ୍ଡି ସାହି ମୌଜାରେ ବାଉଣ୍ଡ୍ରୀ ୱଲ୍ କରିବା ପାଇଁ ଆସନ୍ତା ଅକ୍ଟୋବର ୬ରେ ଟେଣ୍ଡର ଖୋଲାଯିବ।

ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସଆଇ ଅଧିକାରୀ ଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।‌ ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା ହୋଇପାରେ ବୋଲି ସମ୍ଭାବନା ରହିଛି।

Get real time updates directly on you device, subscribe now.