ଖୁବଶୀଘ୍ର ଗଠନ ହେବ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସେଲ୍: ଉପକୃତ ହେବେ ବରିଷ୍ଠ ନାଗରିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକ, ବିବାହିତ ଓ ବୟସ୍କ ସମସ୍ତଙ୍କ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି । ଏହା ମଧ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଖୁବଶୀଘ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସେଲ୍ ଗଠନ କରାଯିବ । ରାଜ୍ୟ ସରକାରଙ୍କର ବିଭିନ୍ନ ସଂସ୍ଥାର ବିଶେଷଜ୍ଞମାନେ ଏହାର ସଦସ୍ୟ ରହିବେ । ସେମାନେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ବୃଦ୍ଧାଶ୍ରମଗୁଡ଼ିକୁ ନିରୀକ୍ଷଣ କରିବେ ବୋଲି ଜଣାପଡ଼ିଛି ।

ଏନେଇ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସେଲ ଗଠନ ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାମାନେ ଏଥିପାଇଁ ସହଯୋଗ କରିବେ । ବରିଷ୍ଠ ନାଗରିକଙ୍କ ହିତ ସାଧନ ପାଇଁ ଏହି ସେଲ କାମ କରିବ । ବୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକଙ୍କ ମାନସିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ।

ବରିଷ୍ଠ ନାଗରିକଙ୍କ ମାନସିକ ଶାନ୍ତି ପାଇଁ ପ୍ରଜାପିତା ବ୍ରହ୍ମାକୁମାରୀ, ରାମକ୍ରିଷ୍ଣ ମିଶନ ପରି ସଂସ୍ଥାମାନଙ୍କ ଦ୍ୱାରା ଆଧ୍ୟାତ୍ମିକ, ମୋଟିଭେସନାଲ କାର୍ଯ୍ୟକ୍ରମର ଆୟୋଜନ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଓ ଯୋଜନାକୁ ଏକ ନିର୍ଦ୍ଦିଷ୍ଟ ୱେବସାଇଟରେ ପ୍ରକାଶ କରାଯିବ । ଫଳରେ ଯେଉଁମାନେ ଏହି ଯୋଜନାର ଫାଇଦା ବର୍ତ୍ତମାନ ସୁଦ୍ଧା ନେଇ ନାହାନ୍ତି ସେମାନେ ତା’ର ଲାଭ ଉଠାଇ ପାରିବେ ।

ରାଜ୍ୟରେ ଥିବା ଡେ-କେୟାର ସେଣ୍ଟର ଓ ବରିଷ୍ଠ ନାଗରିକ ଚିକିତ୍ସା କେନ୍ଦ୍ରକୁ ଆକ୍ଟିଭ କରାଯିବା ସହିତ ସେଠାରେ କେଉଁ କାର୍ଯ୍ୟକ୍ରମ କରାଯିବ, କେଉଁ ସେବା ପ୍ରଦାନ କରାଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବ । ବରିଷ୍ଠ ନାଗରିକ ଚିକିତ୍ସା କେନ୍ଦ୍ର ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ କାର୍ଯ୍ୟକ୍ଷମ ହେବ । ଏଥିସହିତ ପ୍ରତି ଥାନାରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଡେସ୍କ ଖୋଲିବାକୁ ଗୃହ ବିଭାଗ ଓ ଡିଜିପିଙ୍କୁ ଅନୁରୋଧ କରାଯିବ । ସେହିପରି ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ପଞ୍ଚାୟତ ସ୍ତରରେ ଓ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ବ୍ୟକ୍ତିବିଶେଷ ଆଲୋଚନା କରିବେ । ବରିଷ୍ଠ ନାଗରିକଙ୍କ ହିତ ସାଧନ ପାଇଁ ଯେଉଁ ପ୍ରସ୍ତାବ ହସ୍ତଗତ ହେବ ତାହାକୁ ପରବର୍ତ୍ତୀ ସମୟରେ ଲାଗୁ କରାଯିବ ।