ଓଡିଶାରେ ଅନଲାଇନ ଟାକ୍ସି ସର୍ଭିସ ଉପରେ ସରକାରଙ୍କ ଲାଠିମାଡ: ଲାଗୁ ହେଲା ନୂଆ ନିୟମ

କଟକ: ଓଡିଶାରେ ଏବେ ଓଲା, ଉବର ଏବଂ ରାପିଡୋ ଭଳି ଅନଲାଇନ ଟାକ୍ସି ସର୍ଭିସ ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି । ରାଜ୍ୟବାସୀଙ୍କ ପାଇଁ ପରିବହନ କ୍ଷେତ୍ରରେ ଏହି ସେବା ଖୁବ ସହାୟକ ହୋଇପାରିଛି । କିନ୍ତୁ ବର୍ତ୍ତମାନ ଓଲା, ଉବର ଆଦି ସର୍ଭିସ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ପଡିଛି । ଏହି ଗାଡିଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଣିକି ରାଜ୍ୟରେ ଓଲା, ଉବର ଗାଡି ଗଡିବା ପାଇଁ ନେବାକୁ ପଡିବ ଆଉ ଏକ ଲାଇସେନ୍ସ ।

ନୂଆ ନିୟମ ଅନୁଯାୟୀ, ଏହି ସେବାରେ ନିୟୋଜିତ ରାଜ୍ୟର ସବୁ ଗାଡି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ ନିକଟରୁ ଏକ ଲାଇସେନ୍ସ ଅନିବାର୍ଯ୍ୟ କରାଯାଇଛି । ଏହି ଲାଇସେନ୍ସ ନଥିଲେ ରାଜ୍ୟର କୌଣସି ସହରରେ ,ହି ଗାଡି ଗଡିପାରିବ ନାହିଁ । ରାଜ୍ୟରେ ସରକାରଙ୍କ ତରପରୁ ଏହି ନିୟମ ଲାଗୁ ହେବା ପରେ ଓଡିଶା ଭାରତର ଷଷ୍ଠ ରାଜ୍ୟ ପାଲଟି ଯାଇଛି । ‘ଆଗ୍ରିଗେଟର ପଲିସି’ ନାମରେ ଏକ ନୂଆ ନୀତି ଆଣି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ଓଡିଶାରେ ଏହି ସେବା ଉପଲବ୍ଧ କରିବା ପାଇଁ ଏସଟିଏରୁ ଲାଇସେନ୍ସ ହାସଲ କରିବାକୁ ପଡିବ । ଏହି ଲାଇସେନ୍ସ ମାତ୍ର ୫ ବର୍ଷ ପାଇଁ ମିଳିପାରିବ, ତେବେ ଲାଇସେନ୍ସ ଅବଧି ଶେଷ ହେବାର ୬୦ ଦିନ ପୂର୍ବରୁର ଏହାକୁ ନବୀକରଣ କରି ପୁଣିଥରେ ଉପଲବ୍ଧ କରିବାକୁ ହେବ । ବିନା ଲାଇସେନ୍ସରେ ଗାଡି ଚଳାଇଲେ ୧ ହଜାର ଟଙ୍କା ଜରିମାନା ଲାଗୁ ହେବ ବୋଲି କହିଛନ୍ତି ଏସଟିଏ ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର ।

ତେବେ ଏହି ଲାଇସେନ୍ସ ପାଇଁ କିଛିଟା ସର୍ତ୍ତାବଳୀ ରହିଛି । ଲାଇସେନ୍ସ ପାଇଁ ପଞ୍ଜୀକୃତ ସଂସ୍ଥା ନିକଟରେ ଅତିକମ୍ ରେ ୧୦୦ଟି ମୋଟର କ୍ୟାବ, ଦୁଇଚକିଆ ଗାଡି ଏବଂ ସବନିମ୍ନ ୫୦ଟି ଟାକ୍ସି ରହିତିବା ଆବଶ୍ୟକ । ଗାଡି ଏବଂ ଡ୍ରାଇଭରଙ୍କର ସମ୍ପୂର୍ଣ୍ଣ ତଥ୍ୟ ଏସଟିଏକୁ ପ୍ରଦାନ କରାଯିବ । ଏହାବ୍ୟତୀତ ଗାଡିର ଡ୍ରାଇଭର ଗତ ୭ ବଷଅର୍ ମଧ୍ୟରେ କେଉଁଠି ଦୋଷୀ ସାବ୍ୟସ୍ତ ହୋଇ ନଥିବା ଆବଶ୍ୟକ । ତେବେ ଏହି ନିୟମ ଭାଙ୍ଗିଲେ ସଂସ୍ଥାର ଲାଇସେନ୍ସ ବାତିଲ କରାଯିବା ସହ ଜରିମାନା ଲାଗୁ ହେବ ବୋଲି ଚେତାବନୀ ଦେଇଛନ୍ତି ଏସଟିଏ ଯୁଗ୍ମ କମିଶନର ।