fbpx

ରାଜ୍ୟ ଅତିଥି ଭବନ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ମୋହନ ଚରଣ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ହୋଇଛି ରାଜ୍ୟ ଅତିଥି ଭବନ । ଅତିଥି ଭବନର ପ୍ରଥମ ମହଲାକୁ ସେଥିପାଇଁ ପ୍ରସ୍ତୁତ କରାଯାଇଥିବା ବେଳେ ପୁରୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଅତିଥି ଭବନରେ ପହଞ୍ଚିଥିବା ଜଣାପଡ଼ିଛି । ଏଥିସହିତ ଅତିଥି ଭବନରେ ନଗର ଉନ୍ନୟନ ବିଭାଗ ସଚିବ ମଧ୍ୟ ପହଞ୍ଚିଥିବା ଜଣାପଡ଼ିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ନିଜ ବାସଭବନ ନବୀନ ନିବାସରୁ ରାଜ୍ୟର ଶାସନ ପରିଚାଳନା କରି ଆସୁଥିଲେ । ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏବେ ଘର ସନ୍ଧାନ କରାଯାଉଥିବା ବେଳେ ଅସ୍ଥାୟୀ ଭାବେ ଅତିଥି ଭବନଙ୍କୁ ସିଏମଓ ଭାବେ ବ୍ୟବହାର କରାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଦୀର୍ଘ ୨୪ ବର୍ଷ ଧରି ବିଜେଡି ରାଜ୍ୟରେ କ୍ଷମତାରେ ରହିଥିଲା । ଏହାପରେ ଚଳିତ ନିର୍ବାଚନରେ ପ୍ରଥମ ଥର ବିଜେପି ଏକାକୀ କ୍ଷମତା ଅକ୍ତିଆର କରିବା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଶପଥ ଗ୍ରହଣ କରିଥିଲେ । ଏଥିସହିତ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ଓ ବହୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ ।

Get real time updates directly on you device, subscribe now.