fbpx

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: STFକୁ ମିଳିବ ଅଧିକ ଶକ୍ତି, ସାମିଲ ହେବେ ପୋଲିସ, ଜିଏସଟି ଓ ଟେଲିକମ୍ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ନକଲି ଔଷଧ କାରବାର ବଢ଼ି ଚାଲିଥିବା ବେଳେ ଏହା ବିରୋଧରେ ଚାଲିଥିବା ଅଭିଯାନକୁ ଆହୁରି ସୁଦୃଢ଼ କରାଯିବ । ସେଥିପାଇଁ ପୋଲିସ, ଜିଏସଟି ଓ ଟେଲିକମ ବିଭାଗକୁ ସାମିଲ କରାଯିବ । ଏଥିସହିତ କୋରିୟର ଓ ପରିବହନ ସଂସ୍ଥାର ମଧ୍ୟ ସହାୟତା ନିଆଯିବ । ଏହାଛଡ଼ା ଗୁଇନ୍ଦା ଶାଖାକୁ ମଧ୍ୟ ସଶକ୍ତ କରାଯିବ ବୋଲି ଜଣାପଡ଼ିଛି ।

ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ଆହୁରି ମଜବୁତ କରାଯିବ । ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଅପରାଧିୀମାନେ ଆଉ ସହଜରେ ଖସି ପାରିବେ ନାହିଁ । ନକଲି ଔଷଧ କାରବାରରେ ଭେଷଜ ନିୟନ୍ତ୍ରକ ନିର୍ଦ୍ଦେଶାଳୟକୁ ଏକ ବଡ଼ଧରଣର ସଫଳତା ମିଳିଥିଲା । ମାତ୍ର ଏହି କାରବାରର ଚେର ରାଜ୍ୟ ବାହାରକୁ ଲମ୍ବି ଥିବାରୁ ଏହାର ମୂଳୋତ୍ପାଟନ ପାଇଁ ଏସଟିଏଫର କ୍ଷମତା ବୃଦ୍ଧି କରାଯିବା ଜରୁରୀ ହୋଇ ପଡ଼ିଛି ।

ବିଭିନ୍ନ ମଣ୍ଡଳକୁ ନେଇ ଏସଟିଏଫ ଗଠନ କରାଯାଇଥିବା ବେଳେ ସେଥିରେ ମୁଖ୍ୟତଃ ଭେଷଜ ନିୟନ୍ତ୍ରକ ନିର୍ଦ୍ଦେଶାଳୟର ଅଧିକାରୀମାନେ ସାମିଲ ରହିଛନ୍ତି । ତେଣୁ ସେଥିରେ ଅନ୍ୟ ବିଭାଗ ଓ ବ୍ୟକ୍ତିଙ୍କୁ ସାମିଲ କରିବାକୁ ଯୋଜନା ଚାଲିଛି । ନକଲି ଔଷଧର ଚେରକୁ ସମୂଳେ ବିନାଶ କରିବା ପାଇଁ ଏସଟିଏଫ ନୂଆ ଏସଓପି ପ୍ରସ୍ତୁତ କରୁଛି । ସେଥିପାଇଁ ପୋଲିସ, ଜିଏସଟି, ଟେଲିକମ ବିଭାଗ, ନ୍ୟାୟିକ ସଂସ୍ଥାଙ୍କୁ ସାମିଲ କରାଯିବ ।

ଏଥିସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟରତ ଥିବା କୋରିୟର ସଂସ୍ଥା ଓ ପରିବହନରେ ନିୟୋଜିତ ସଂସ୍ଥାକୁ ମଧ୍ୟ ସାମିଲ କରିବା ପାଇଁ ପ୍ରସ୍ତାବ ରହିଛି । ଏସଟିଏଫ ନିଜର ଗୁଇନ୍ଦା ସଂସ୍ଥାକୁ ଅଧିକ ସୁଦୃଢ଼ କରିବ । ନିର୍ଦ୍ଦେଶାଳୟର ଗୁଇନ୍ଦା ଶାଖା ଯେଉଁ ସୂଚନା ପାଇବା ତାହାକୁ ସେ ତ୍ୱରିତ ଭାବେ ଏସଟିଏଫକୁ ପ୍ରଦାନ କରିବ । ସୂଚନାଦାତା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଏକ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା କରାଯିବ । ସୁପ୍ରିମକୋର୍ଟଙ୍କ ନିୟମର ଅନୁପାଳନ କରି ଏସଟିଏଫ ଅଭିଯୁକ୍ତଙ୍କୁ ଗିରଫ କରିବ । ବେଆଇନ ଔଷଧ କାରବାରରେ ସମ୍ପୃକ୍ତ ଥିବା ବ୍ୟବସାୟୀ, ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସିଲ କରିବା ପାଇଁ ଏସଟିଏଫକୁ ପ୍ରସ୍ତୁତ କରାଯିବ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସଟିଏଫ ସଦସ୍ୟଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ ପାଇଁ ମଧ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି ।

Get real time updates directly on you device, subscribe now.