ନୂଆଦିଲ୍ଲୀ: ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ଆଜି(ନଭେମ୍ବର ୨୫) ଭାରତୀୟ ଶେୟାର ବଜାରରେ ଶାନଦାର ପ୍ରାରମ୍ଭ ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିକୁ ଦମଦାର ବିଜୟ ମିଳିଛି । ପ୍ରମୁଖ ମାନଦଣ୍ଡ ସେନସେକ୍ସ ଏବଂ ନିଫ୍ଟି ଯଥାକ୍ରମେ ୧.୩୬% ଏବଂ ୧.୪୫% ଲାଭ ସହ ଖୋଲିଥିଲା । ସକାଳ ୯ଟା ପର୍ଯ୍ୟନ୍ତ ସେନସେକ୍ସ ୧୦୭୬.୩୬ ପଏଣ୍ଟ ବୃଦ୍ଧି ସହିତ ୮୦, ୧୯୩.୪୭ ସ୍ତରରେ କାରବାର କରିଥିଲା । ସେହିପରି ନିଫ୍ଟି ୫୦, ୩୪୬.୩୦ ପଏଣ୍ଟ ସହ ୨୪, ୨୫୩.୫୫ ସ୍ତରରେ କାରବାରର କରୁଥିବାର ନଜର ରହିଥିଲା ।
ବ୍ୟାକିଂ ଶେୟାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା । ବ୍ୟାଙ୍କ ନିଫ୍ଟିରେ ପ୍ରାୟ ୨% ବୃଦ୍ଧି ଦେଖିବାକୁ ମିଳିଥିଲା । ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ ଏବଂ ଆକ୍ସିସ୍ ବ୍ୟାଙ୍କ ପରି ଶେୟାରରେ ବୃଦ୍ଧି ପରିଲିଖିତ ହୋଇଥିଲା । ସେକ୍ଟରାଲ ଆଧାରରେ ରିୟଲିଟି ଏବଂ ପିଏସୟୁ ବ୍ୟାଙ୍କ ସୂଚକାଙ୍କରେ ୨.୮% ବୃଦ୍ଧି ରେକର୍ଡ଼ କରାଯାଇଥିଲା । ପ୍ରାରମ୍ଭିକ କାରବାରରେ ନିଫ୍ଟି ୧.୫୫% ଅର୍ଥାତ ୩୭୦.୨୫ ପଏଣ୍ଟ ବୃଦ୍ଧି ସହ ୨୪, ୨୭୭.୫ରେ ପହଞ୍ଚିଥିଲା । ସେହିପରି ସେନସେକ୍ସ ୧.୫୯% ଅର୍ଥାତ ୧୨୫୯.୨% ବୃଦ୍ଧି ସହ ୮୦, ୩୭୬.୩୨ ସ୍ତରରେ କାରବାର କରୁଥିଲା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ମେଣ୍ଟର ବିଜୟ ହୋଇଛି । ଏହି ବିଜୟ ସହ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇଛି । ଏହା ବ୍ୟତୀତ ବିଶ୍ୱ ବଜାରରେ ସକାରାତ୍ମକ ଧାରା ମଧ୍ୟ ଭାରତୀୟ ବଜାରକୁ ସମର୍ଥନ କରୁଛି । ତଥାପି ବିଶ୍ୱ ରାଜନୈତିକ ଅନିଶ୍ଚିତତା ଏବଂ ବିଦେଶୀ ନିବେଶକଙ୍କ କ୍ରମାଗତ ବିକ୍ରୟ ବଜାର ପାଇଁ ଚିନ୍ତାର ବିଷୟ ପାଲଟିଛି ।