fbpx

ଅଗ୍ନିପଥ ଯୋଜନାକୁ ନେଇ ଜଳୁଛି ନିଆଁ, ବିହାରରେ ପ୍ରଦର୍ଶନକାରୀ ଟ୍ରେନ୍ ଜାଳିଦେଲେ

ବିହାର(ଓଡ଼ିଶା ଭାସ୍କର): ଅଗ୍ନିପଥ ଯୋଜନାକୁ ନେଇ ଶୁକ୍ରବାର ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିହାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଧୀରେଧୀରେ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚିଲାଣି। ଶୁକ୍ରବାର ସକାଳେ ବିହାରର ସମସ୍ତିପୁରା ଏବଂ ଲଖିସରାୟାରେ ପ୍ରଦର୍ଶନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ସେହିପରି ଆଜି ସକାଳେ ଯୁବକମାନେ ଉତ୍ତରପ୍ରଦେଶର ବାଲିୟା ଷ୍ଟେସନ୍‌ରେ ପ୍ରବଳ ଭଙ୍ଗାରୁଜା କରିଛନ୍ତି।

ଅଗ୍ନିପଥ ଯୋଜନାରେ ସେନାବାହିନୀରେ ନିଯୁକ୍ତିକୁ ବିରୋଧ କରି ଏହି ପ୍ରଦର୍ଶନ ଜାରି ରହିଛି। ଅଗ୍ନିପଥ ଯୋଜନାକୁ ବିରୋଧ କରି ଗୁରୁବାର ଅନେକ ରାଜ୍ୟରେ ଯୁବକମାନେ ପ୍ରଦର୍ଶନ କରିଥିଲେ। ବିଭିନ୍ନ ସ୍ଥାନରେ ରେଳ ରୋକ ମଧ୍ୟ କରିଥିଲେ ଓ ଏହା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟାଇଥିଲେ।

ବିରୋଧ ପ୍ରଦର୍ଶନକୁ ନଜରରେ ରଖି ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବା ପାଇଁ ବୟସସୀମାକୁ କେନ୍ଦ୍ର ସରକାର ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି। ପ୍ରଦର୍ଶନକୁ ନିୟନ୍ତ୍ରଣରେ ଆଣିବା ଲାଗି ହରିୟାଣାର ବଲ୍ଲବଗଡ଼ ଜିଲ୍ଲା ପ୍ରଶାସନ ୨୪ ଘଣ୍ଟା ପାଇଁ ଅସ୍ଥାୟୀ ଭାବରେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖିଛନ୍ତି।

ବିହାରରେ ଚାଲିଥିବା ହିଂସକ ପ୍ରଦର୍ଶନ ମଧ୍ୟରେ ବିଦ୍ୟାର୍ଥୀମାନେ ଜମ୍ମୁତବୀ ଗୁଆହାଟି ଏକ୍ସପ୍ରେସ୍ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ସୂଚନା ମୁତାବକ ଟ୍ରେନ୍‌ର ଦୁଇଟି ବଗି ଜଳି ପାଉଁଶ ହୋଇଯାଇଛି। ସେହିପରି ବିହାରର ସମସ୍ତିପୁରାରେ ବିହାର ସମ୍ପର୍କ କ୍ରାନ୍ତି ଟ୍ରେନ୍‌କୁ ଅଟକାଇ ପ୍ରବଳ ପଥର ମାଡ଼ କରିଥିଲେ। ହିଂସାକ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ୨୨ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

 

Get real time updates directly on you device, subscribe now.