ବାତ୍ୟା ‘ଦାନା’: ପୁଣିଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା, ଅନ୍ୟପଟେ ଚିଲିକାରେ ଭସାପୋଲ ବନ୍ଦ

ଭୁବନେଶ୍ୱର:ବାତ୍ୟା ‘ଦାନା’ ପାଇଁ ପୁଣିଥରେ ସାମୁଦ୍ରିକ ଜୁଆର ଆସିବା ନେଇ ସତର୍କ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା । ତାଙ୍କ କହିବା ମୁତାବକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଉପକୂଳରେ ଜୁଆର ଆସିବ । ସ୍ୱାଭାବିକଠୁ ଅଧିକ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ଆଶଙ୍କା ରହିଛି ।

ଅନ୍ୟପଟେ ଚିଲିକାରେ ଡଙ୍ଗା ଓ ପୋଲ ସେବା ବନ୍ଦ ହୋଇଛି । ବାତ୍ୟା ପାଇଁ ଚିଲିକାରେ ଏହି ସେବାକୁ ବନ୍ଦ କରିଛି ପ୍ରଶାସନ । ପବନ ଓ ବର୍ଷା କମିବା ପର୍ଯ୍ୟନ୍ତ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କୃଷ୍ଣପ୍ରସାଦର ୧୪ଟି ପଞ୍ଚାୟତବାସୀ ଭସାପୋଲରେ ନିର୍ଭରଶୀଳ ।

ସେପଟେ ବାତ୍ୟା ‘ଦାନା’ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ପାରାଦୀପରେ ସର୍ବାଧିକ ୬୨.୯ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୪୬.୨, କୁଜଙ୍ଗ ଓ ରାଜକନିକାରେ ୨୭ ମିମି ବର୍ଷା, ରାଜନଗରରେ ୨୪, ନୀଳଗିରିରେ ୨୩ ମିମି ବର୍ଷା, ପଟ୍ଟାମୁଣ୍ଡାଇରେ ୨୨.୫, ଆଳିରେ ୨୧ ମିମି ବର୍ଷା ରେକର୍ଡ କରାଯାଇଛି ।