ଭୁବନେଶ୍ୱର: ଆକାଶରୁ ବର୍ଷା ହେବାର ତ ସମସ୍ତେ ଦେଖିଥିବେ । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରବଳ ବର୍ଷାରେ ଚତୁର୍ଦିଗ ଅନ୍ଧାର ଦେଖା ଯାଉଥିବା ବେଳେ ହଠାତ ଗୋଟିଏ ସ୍ଥାନରେ ମାଟି ଆଉ ଆକାଶ ଏକ ହୋଇଯାଉଥିବା ଭଳି ଦେଖିବାକୁ ମିଳିଛି । ଆକାଶରୁ ଏକ ଝରଣା ଉଭୟଙ୍କୁ ଏକାଠି କରି ଦେବା ଭଳି ମନେ ହେଉଛି ।
ଏମିତି ଝରଣା ଭଳି ବର୍ଷା ବୋଧ ହୁଏ ଆଗରୁ କେବେ ଦେଖା ଯାଇ ନଥିବ । ଏ ଫଟୋଟି ହେଉଛି ଗତକାଲି ରାଜଧାନୀ ଭୁବନେଶ୍ୱରର । ଯେତେବେଳେ ମୂଷଳ ଧାରାରେ ବର୍ଷା ହେଉଥିଲା ଠିକ ସେତିକି ବେଳେ ହିଁ ଏହି ଫଟୋକୁ କେହି ଜଣେ ନିଜ ମୋବାଇଲରେ କଏଦ କରିଛନ୍ତି । ଆଉ ଏ ଫଟୋରେ ଆକାଶରୁ ବର୍ଷା ଏକ ଝରଣା ଭଳି ଅନବରତ ବହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଲାଗୁଛି ଯେମିତି ଗୋଟିଏ ସ୍ଥାନରେ ହିଁ ବର୍ଷା ପୁରା ଝରଣା ଭଳି ଝରିଯାଉଛି । ଗତକାଲିର ଆକାଶରେ ଏମିତି ଆହୁରି ଭଗବାନ ଶିବଲିଙ୍ଗ ଭଳି ଏକ ବିରଳ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଆକାଶରୁ ଝରଣା ଭଳି ବର୍ଷା ହେବାର ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ଆକାଶରେ ଏହି ଦୃଶ୍ୟକୁ ଦେଖି ସମସ୍ତେ କହୁଛନ୍ତି ଏହା ଭଗବାନଙ୍କର ଲୀଳା । ବର୍ତ୍ତମାନ ଦେବ ଦେବ ମହାଦେବଙ୍କ ପ୍ରିୟ ଶ୍ରାବଣ ମାସ ଚାଲିଥିବା ବେଳେ ଏଭଳି କିଛି ଦୃଶ୍ୟ ସମସ୍ତଙ୍କୁ ଆହୁରି ଭକ୍ତିମୟ କରି ଦେଉଛି । ତେବେ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତକାଲିର ରାତିକୁ ରାଜଧାନୀ ବାସୀ କେବେ ହେଲେ ଭୁଲି ପାରିବେ ନାହିଁ । ବାଦଲ ଫଟା ବର୍ଷା ରାଜଧାନୀ ବାସୀଙ୍କୁ ବନ୍ୟାର ରୂପ ଦେଖାଇ ଦେଇଛି । ୧୨ ବର୍ଷ ପରେ ୨୫୭ ମି.ମି ବର୍ଷା ହେବାର ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର ।