ରାଜ୍ୟ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବାଲିଯାତ୍ରା ସମୟରେ ଫୁଟପାଥରେ ବସି ପାରିବେନି ଉଠାଦୋକାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ନିକଟରେ ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବାଲିଯାତ୍ରାର ଷ୍ଟଲ ପଞ୍ଜିକରଣ ପ୍ରକ୍ରିୟା ଗତ ମାସ ୨୮ ତାରିଖରେ ସମାପ୍ତ ହୋଇଥିବା ବେଳେ ମୋଟ ୧୫ ଶହ ସେଥିପାଇଁ ଆବେଦନ କରିଥିଲେ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ । ତେବେ ବାଲିଯାତ୍ରାକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏଖ ବଡ଼ ଖବର । ଏଥର ବାଲିଯାତ୍ରା ସମୟରେ ଫୁଟପାଥରେ ଉଠାଦୋକାନୀମାନେ ବସିପାରିବେ ନାହିଁ ବୋଲି ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବାଲିଯାତ୍ରା ସମୟରେ ଫୁଟପାଥରେ କୌରସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତରଫରୁ ନିଷେଧାଦେଶ ଜାରି କରାଯାଇଛି । କିଛି ସ୍ଥାନରେ ଉଠା ଦୋକାନୀଙ୍କୁ ବ୍ୟବସାୟ କରିବା ନେଇ ନିଷେଧ କରାଯିବା ସହ ସେମାନଙ୍କର ଜୀବିକା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ଦୃଷ୍ଟି ଦିଆଯାଇଛି । ସେଥିପାଇଁ ତଳ ବାଲିଯାତ୍ରା ପଡ଼ିଆରେ ସେମାନଙ୍କ ବ୍ୟବସାୟ ପାଇର୍ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି । ଜୋବ୍ରାଠାରୁ ଚହଟା, ଉପର ଓ ତଳ ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ରାସ୍ତାରେ ବ୍ୟବସାୟ ପାଇଁ ନିଷେଧ କରାଯାଇଛି । ଏହି ନିର୍ଦ୍ଦେଶ ଜାରି ହେବା ଦିନ ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଆବଶ୍ୟକ ମୂଲ୍ୟ ଦେଇ ଉଠା ଦୋକାନୀମାନେ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ । ଏହି ନିୟମର ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ । ତଳ ବାଲିଯାତ୍ରା ପଡ଼ିଆରେ ଉଠା ଦେକାନୀଙ୍କୁ ସ୍ଥାନ ଦେବା ପାଇଁ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।