fbpx

ହୋମୱର୍କ ନ କରିବାରୁ ଲାତ-ଗୋଇଠା ମାରିଲେ ଶିକ୍ଷକ, ଚାଲିଗଲା ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ: ପିଲାମାନଙ୍କୁ ପାଠ ପଢ଼ାଇବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ତାଗିଦ୍ କରିଥାନ୍ତି । ହେଲେ ଅନେକ ସମୟରେ ଏପରି ହୁଏ ଯେ, ଶିକ୍ଷକ ମାନେ ତାଗିଦ୍ କରିବାର ସବୁ ସୀମା ପାର୍ କରିଯାଆନ୍ତି । ଯାହା ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଏ । ତେବେ ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ଚୁରୁ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଛାତ୍ର ହୋମୱର୍କ ନ କରିବାରୁ ଶିକ୍ଷକ ଲାତ ଗୋଇଠା ମାରିଥିଲେ । ଯାହାଫଳରେ ଉକ୍ତ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଜଣେ ୧୩ ବର୍ଷର ଛାତ୍ର ସହିତ ଏହା ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ରାଜସ୍ଥାନର ଚୁରୁ ଜିଲ୍ଲା ସାଲାସର୍ ରୁ ଏପରି ଘଟଣା ସାମନାକୁ ଆସିଛି । ପୋଲିସ୍ ର ସୂଚନା ମୁତାବକ, ସାଲାସର୍ ଅର୍ନ୍ତଗତ କୋଲାସର ନିବାସୀ ଓମପ୍ରକାଶ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ ଗଣେଷ କୋଲାସରରେ ଥିବା ଏକ ଘରୋଇ ପବ୍ଲିକ୍ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି । ଯିଏକି ଦୁଇ ତିନି ମାସ ହେବ ସ୍କୁଲ ଯିବା ଆସିବା କରୁଛି । ଗଣେଷ ନିଜ ବାପାଙ୍କୁ ଗତ ୧୫ ଦିନରୁ ଅଧିକ ଦିନ ହେବ କହିଆସୁଛି ଯେ, ତା ଶିକ୍ଷକ ବିନା କାରଣରେ ତାକୁ ମାଡ଼ ମାରୁଛନ୍ତି ।

ବୁଧବାର ଦିନ ଗଣେଷ ସ୍କୁଲ ଯାଇଥିଲା । ଏହି ସମୟରେ ସ୍କୁଲ ଶିକ୍ଷକ ମନୋଜ, ଗଣେଷର ବାପାଙ୍କୁ ଫୋନ୍ କରିଥିଲେ ଓ କହିଥିଲେ ଯେ, ପୁଅ ହୋମୱର୍କ କରି ନ ଆସିଥିବାରୁ ତାକୁ ମାଡ଼ ମରାଯାଇଛି । ଯାହାପରେ ସେ ବେହୋସ୍ ହୋଇଯାଇଛନ୍ତି । ଏହାପରେ ଗଣେଷର ବାପା ଶିକ୍ଷକଙ୍କୁ ପଚାରିଥିଲେ ଯେ, ବେହୋସ୍ ହୋଇଯାଇଚି ନା ଜୀବନରୁ ମାରିଦେଇଛନ୍ତି । ଶିକ୍ଷକ ଏଥିରେ ଉତ୍ତର ଦେଇ କହିଥିଲେ ଯେ, ସେ ମରିବାର ନାଟକ କରୁଛି । କିଛି ସମୟ ପରେ ବାପା ଓମପ୍ରକାଶ ସ୍କୁଲରେ ପହଞ୍ଚିଥିଲେ । ପୂର୍ବରୁ ହିଁ ଗଣେଷର ମାଆ ସେଠାରେ ଉପସ୍ଥିତ ଥିଲେ । ସ୍କୁଲର ଅନ୍ୟ ପିଲାମାନେ ମଧ୍ୟ ଖୁବ୍ ଡରିଯାଇଥିଲେ ।

ସ୍କୁଲର ପିଲାମାନେ କହିଛନ୍ତି ଯେ, ଶିକ୍ଷକ ମନୋଜ, ଗଣେଷକୁ ଖୁବ୍ ଜୋରରେ ଲାତ- ଗୋଇଠା ମାରିଛନ୍ତି । ଏହିଭଳି ନିର୍ଦ୍ଦୟ ଭାବରେ ମାଡ଼ ମରାଯାଇଥିବାରୁ ଗଣେଷ ଲହୁଲୁହାଣ ହୋଇଯାଇଛି । ପରିବାର ଲୋକ ପହଞ୍ଚିବା ପରେ ଗଣେଷକୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ବର୍ତ୍ତମାନ ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ୍ ଗିରଫ କରିଛି । ଅନ୍ୟପଟେ ମେଡିକାଲ ବୋର୍ଡ ପକ୍ଷରୁ ମୃତ ଛାତ୍ରଙ୍କ ପୋଷ୍ଟମଟମ୍ କରାଯାଇଛି ।

Get real time updates directly on you device, subscribe now.