‘ପୁଅ ସୁଧୁରି ଯାଅ…’ ପ୍ରଧାନ ଶିକ୍ଷକଙ୍କ ଗାଳି ସହିପାରିଲାନି ଦ୍ୱାଦଶ ଶ୍ରେଣୀର ଛାତ୍ର, ଗୁଳି କରି ସାରଙ୍କୁ କଲା ହତ୍ୟା

ଲକ୍ଷ୍ନୌ: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ । ଗୁରୁଙ୍କ ଆଦର, ସମ୍ମାନ ଓ ଭକ୍ତି ଉଦ୍ଦେଶ୍ୟରେ ଏହି ବାକ୍ୟ ଉଦ୍ଦିଷ୍ଟ । କିନ୍ତୁ ଆଜିକାଲିର ଯୁବପିଢ଼ି ଏହାର ମର୍ମ ନ ବୁଝି ସମାଜରେ ଏକ ଭୁଲ ଉଦାହରଣ ସ୍ଥାପନ କରୁଛନ୍ତି । ନିକଟରେ ଜଣେ ନାବାଳିକ ଛାତ୍ର ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଛତରପୁର ଜିଲ୍ଲାରେ ।

ସୂଚନାରୁ ପ୍ରକାଶ ଛତରପୁର ଜିଲ୍ଲାର ଏକ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେବା କାଳ ସାଜିଲା । ଦ୍ୱାଦଶ ଶ୍ରେଣୀ ଛାତ୍ର ସଦମ ଯାଦବଙ୍କୁ ଅବାଟକୁ ନ ଯାଇ ନିଜ ବ୍ୟବହାରରେ ସୁଧାର ଆଣିବା ପାଇଁ ପରାମର୍ଶ ଦେଇଥିଲେ । ବାସ୍ ଏତିକିରେ ଉକ୍ତ ଛାତ୍ର ଜଣଙ୍କ ପ୍ରଧାନ ଶିକ୍ଷକଙ୍କ ଉପରେ ରାଗ ରଖି ତାଙ୍କ ସାଥି ମନୀଷ ଯାଦବଙ୍କ ସହ ମିଶି ସ୍କୁଲ ବାଥରୁମକୁ ଯାଇ ପ୍ରିନ୍ସିପାଲଙ୍କୁ ଗୁଳି କରି ହତ୍ୟା କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁ ହେଉଛି ଏସ୍‌. କେ ସକ୍ସେନା । ଏହି ଘଟଣା ପରେ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସିସିଟିଭି ଫୁଟେଜ୍ ମାଧ୍ୟମରେ ଘଟଣାର ପର୍ଦ୍ଦାଫାଶ ହେବା ପରେ ୨ ଘଣ୍ଟା ଭିତରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଦମ ଯାଦବଙ୍କୁ ମହୋବା ଜିଲ୍ଲାରୁ ଗିରଫ କରିଥିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏହି ସ୍କୁଲରେ ପିଲାମାନେ ପାଠପଢ଼ିବା ପାଇଁ ଯାଇଥାନ୍ତି ନା ବ୍ୟାଗରେ ଅସ୍ତ୍ରଶସ୍ତ୍ର ଧରି ଏଭଳି କାଣ୍ଡ କରିବାକୁ ?