fbpx

ସାରା ଦେଶରେ ଆରମ୍ଭ ହେବ ‘Student Unique ID System’: ଆଧାର କାର୍ଡ ସହ ହେବ ସଂଯୋଗ, NETFର ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଶିକ୍ଷା କ୍ଷେତ୍ରରେ ଜାଲିଆତି ବଢ଼ିବାରେ ଲାଗିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ନାମରେ ଫେକ୍ ସାର୍ଟିଫିକେଟ ନେଇ ଅନେକ ପ୍ରାର୍ଥୀ ସରକାରୀ ଚାକିରି କରି ଧରାପଡ଼ୁଥିବା ଦେଖାଯାଉଛି । ତେବେ ଶିକ୍ଷାକ୍ଷେତ୍ରରେ ଜାଲିଆତିକୁ ରୋକିବା ନେଇ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସେଥିପାଇଁ ନ୍ୟାସନାଲ ଏଜୁକେସନନାଲ ଆଣ୍ଡ ଟେକ୍ନୋଲୋଜି ଫୋରମ (ଏନଇଟିଏଫ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ।

ସୂଚନା ମୁତାବକ, ଛାତ୍ରଛାତ୍ରୀଙ୍କ ପାଇଁ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ‘ଷ୍ଟୁଡେଣ୍ଟ ୟୁନିକ୍ ଆଇଡି ସିଷ୍ଟମ’ । ଏହି ବ୍ୟବସ୍ଥା ସହିତ ଆଧାର କାର୍ଡକୁ ସଂଯୋଗ କରାଯିବ । ଫଳରେ ଛାତ୍ରଛାତ୍ରୀଙ୍କୁ ସହଜରେ ଚିହ୍ନଟ କରାଯାଇ ପାରିବ ଓ ସେମାନେ ବହୁ ସୁବିଧା ସୁଯୋଗ ପାଇ ପାରିବେ । ଏହି ପ୍ରସ୍ତାବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ପୋର୍ଟାଲରେ ଡ୍ରାଫ୍ଟ ଡକ୍ୟୁମେଣ୍ଟ ଭାବେ ରହିଥିବା ବେଳେ ଆସନ୍ତା ମାସ ୫ ତାରିଖ ସୁଦ୍ଧା ଏ ବାବଦରେ ମତାମତ ଗ୍ରହଣ କରାଯିବ । ଜି-୨୦ ସମ୍ମିଳନୀରେ ଯୋଗଦେବା ଅବସରରେ ଏନଇଟିଏଫର ଅଧ୍ୟକ୍ଷ ଏ ବାବଦରେ ସୂଚନା ଦେଇଛନ୍ତି ।

ତେବେ ଯଦି ଆବଶ୍ୟକ ପଡ଼େ, ଏହି ବ୍ୟବସ୍ଥାରେ କିଛି ପରିବର୍ତ୍ତନ ମଧ୍ୟ କରାଯିବ । ଆସନ୍ତା ଅଗଷ୍ଟ ମାସରୁ ଏହାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ । ରେଜିଷ୍ଟ୍ରେସନ କରିବା ପରେ ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ସହିତ ସମ୍ପୂର୍ଣ୍ଣ ତଥ୍ୟ ୱେବସାଇଟରେ ଉପଲବ୍ଧ ହେବ । ଫଳରେ ଯଦି ଜଣେ ପିଲାର ଶିକ୍ଷାନୁଷ୍ଠାନ ବଦଳେ ବା ରାଜ୍ୟ ବାହାରକୁ ସେ ପାଠ ପଢ଼ିବାକୁ ଯାଆନ୍ତି ତେବେ ସେ କ୍ଷେତ୍ରରେ ତାଙ୍କୁ ସାଙ୍ଗରେ ସମସ୍ତ ସାର୍ଟିଫିକେଟ ନେଇ ଯିବାକୁ ପଡ଼ିବ ନାହିଁ । ଛାତ୍ରଛାତ୍ରୀଙ୍କୁ ରେଜିଷ୍ଟ୍ରେସନ ସମୟରେ ଦିଆଯାଇଥିବା ୟୁନିକ୍ ଆଡି ନମ୍ବର ମାଧ୍ୟମରେ ସମସ୍ତ ତଥ୍ୟ ଜାଣିହେବ । ତେବେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଶିକ୍ଷକମାନେ ମଧ୍ୟ ଏଥିରେ ରେଜିଷ୍ଟ୍ରେସନ କରିବେ । ଏହି ବ୍ୟବସ୍ଥା ଦ୍ୱାରା ଆଗାମୀ ଦିନରେ ସମସ୍ତ ଜାଲିଆତି ଉପରେ ରୋକ ଲାଗି ପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.