fbpx

କାର୍ଯ୍ୟରୁ ଅବସର ନେଲେ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୫ ବର୍ଷର ଚାକିରି କାଳରେ ଡ. ଶୁଭେନ୍ଦୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଶୁଭେନ୍ଦୁଙ୍କର ପିଲାଦିନୁ ବିଜ୍ଞାନ ପ୍ରତି ଅନେକ ରୁଚି ରହିଥିଲା । ତେଣୁ ସେ ନିଜ ଇଚ୍ଛାରେ ଓଡ଼ିଶାକୁ ନିଜର କର୍ମମୟ ଜୀବନ ଭାବେ ବାଛିଥିଲେ । ଗ୍ରହ, ମହାକାଶ ବିଜ୍ଞାନ ଉପରେ ଲୋକଙ୍କୁ ଅନେକ ସମୟରେ ସେ ବହୁ ଅଜଣା ତଥ୍ୟ ଯୋଗାଇ ଆସୁଥିଲେ ।

ଗତ ୨୦୦୫ ମସିହାରୁ ଡ. ଶୁଭେନ୍ଦୁ ପଠାଣି ସାମନ୍ତ ପ୍ଲାନେଟାରିୟର ଉପନିର୍ଦ୍ଦେଶକ ଦାୟିତ୍ୱ ତୁଲାଇ ଆସୁଥିଲେ । ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ସମୟରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନିକଟରେ ରାଜଧାନୀ ଭୁବନେଶ୍ୱର ଓ କଟକରେ ଦୃଶ୍ୟମାନ ହୋଇଥିବା ‘ଶୂନ୍ୟ ଛାୟା ଦିବସ’କୁ ନେଇ ସେ ମଧ୍ୟ ସଠିକ୍ ତଥ୍ୟ ପ୍ରଦାନ କରି ଲୋକଙ୍କର ଭ୍ରମକୁ ଦୂର କରିପାରିଥିଲେ ।

୧୯୬୩ ମସିହାରେ ଖଣ୍ଡିଗିରିର ଜାଗମରାରେ ଜନ୍ମଗ୍ରହଣ କରିଥିବା ଶୁଭେନ୍ଦୁ ସମସ୍ତଙ୍କ ଗହଣରେ ଅତି ପ୍ରିୟ । ସର୍ବଦା ହସ ହସ ଚେହେର ସାଙ୍ଗକୁ ସେ ଜଣେ ମିଷ୍ଟଭାଷୀ ମଣିଷ । ଅନେକ ସମୟରେ ଗରିବ, ଅସହାୟ ଲୋକଙ୍କୁ ସେ ମଧ୍ୟ ସାହାଯ୍ୟ, ସହଯୋଗର ହାତ ବଢ଼ାଇଥାନ୍ତି । ଏଥିସହିତ ସେ ଜଣେ ଲୋକପ୍ରିୟ ଲେଖକ ଓ ସୁବକ୍ତା । ଜ୍ୟୋତିର୍ବିଜ୍ଞାନ ଉପରେ ଗବେଷଣା କରି ୨୦୧୩ରେ ସେ ପିଏଚଡି ହାସଲ କରିଥିଲେ । ତେବେ ସରକାରୀ ଚାକିରିରୁ ଅବସର ଗ୍ରହଣ କଲେ ମଧ୍ୟ ବିଜ୍ଞାନ ଉପରେ ତାଙ୍କର ଗବେଷଣା ଜାରି ରହିବ । ଏବେ ତାଙ୍କର ନୂଆ ଠିକଣା ଜାଗମରା ହେବ ବୋଲି ବିଦାୟ ନେବା ଅବସରରେ କହିଛନ୍ତି ଶୁଭେନ୍ଦୁ ।

Get real time updates directly on you device, subscribe now.