“ଦ୍ୱିତୀୟ ଟେଷ୍ଟରେ ‘କମବ୍ୟାକ କରିବେନି’ ଶୁଭମନ ଗିଲ୍…” ମ୍ୟାଚ୍ ପୂର୍ବରୁ ଗୁରୁ ଗମ୍ଭୀରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଏହାପରେ ଦ୍ୱିତୀୟ ମ୍ୟାଚରେ ଦଳ କମବ୍ୟାକ କରିବା ପାଇଁ ଯୋଜନା ଆରମ୍ଭ କରିଛି । ଦ୍ୱିତୀୟ ମ୍ୟାଚରେ କୋଚ୍ ଗମ୍ଭୀରଙ୍କ ସହ ଅଧିନାୟକ ରୋହିତ ଦଳରେ କିଛି ପରିବର୍ତ୍ତନ କରିବେ ବୋଲି ଆଶା କରାଯାଉଛି । ଅସୁସ୍ଥତା କାରଣରୁ ପ୍ରଥମ ମ୍ୟାଚରେ ଦଳରୁ ବାଦ୍ ପଡ଼ିଥିବା ଶୁଭମନ ଗିଲ୍ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ମାମଲାରେ କୋଚ୍ ଗମ୍ଭୀର ଏକ ବଡ଼ ବୟାନ ଦେଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ଗିଲ୍ ‘ଦଳକୁ ଫେରିବେ ନାହିଁ’ ବୋଲି ସେ ସୂଚନା ଦେଇଛନ୍ତି ।

ଅସୁସ୍ଥତା ଯୋଗୁଁ ବେଙ୍ଗଲୁରୁ ଟେଷ୍ଟରୁ ବାଦ୍ ପଡ଼ିଥିଲେ ଶୁଭମନ ଗିଲ୍ । ତାଙ୍କ ସ୍ଥାନରେ ସରଫରାଜ ଖାନ୍ ଦଳରେ ସ୍ଥାନ ପାଇଥିଲେ ଏବଂ ବିସ୍ଫୋରକ ଇନିଂସ ମଧ୍ୟ ଖେଳିଛନ୍ତି । କିନ୍ତୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଗିଲ୍ ସୁସ୍ଥ ହୋଇ ସାରିଛନ୍ତି । ତେଣୁ ଦ୍ୱିତୀୟ ମ୍ୟାଚରେ ତାଙ୍କ ଖେଳିବାକୁ ନେଇ ଆଲୋଚନା ହେବାରେ ଲାଗିଛି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଗୌତମ ଗମ୍ଭୀର ଏ ନେଇ ସୂଚନା ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ, ଗଳାରେ ଯନ୍ତ୍ରଣା ଯୋଗୁଁ ଗିଲ୍ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିଲେ । ତେବେ ଦ୍ୱିତୀୟ ମ୍ୟାଚରେ ଗିଲ୍ ଦଳରେ ସୁଯୋଗ ପାଇବେ । କିନ୍ତୁ ଏହି ମ୍ୟାଚରେ ଶୁଭମନ ଦଳକୁ ‘କମବ୍ୟାକ କରୁନାହାନ୍ତି, ସେ ପୂର୍ବରୁ ଦଳରେ ରହିଥିଲେ । କେବଳ ଆହତ ସମସ୍ୟା ଯୋଗୁଁ ପ୍ରଥମ ମ୍ୟାଚରେ ସେ ଖେଳି ପାରି ନଥିଲେ ।”

ତେବେ ଗିଲଙ୍କ ଏଣ୍ଟ୍ରି ହେଲେ ଦଳରୁ ବାଦ୍ ପଡ଼ିପାରନ୍ତି ଷ୍ଟାର କ୍ରିକେଟର କେ.ଏଲ ରାହୁଲ । ପ୍ରଥମ ଟେଷ୍ଟରେ ନିରାଶଜନକ ପ୍ରଦର୍ଶନ ପରେ ରାହୁଲ ଦ୍ୱିତୀୟ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି । ଏହି ମ୍ୟାଚ୍ ପାଇଁ ପ୍ଲେଇଙ୍ଗ-୧୧ରେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିବା ଏକପ୍ରକାର ସୁନିଶ୍ଚିତ । ତେଣୁ ରାହୁଲଙ୍କ ସ୍ଥାନରେ ଗିଲଙ୍କୁ ଦଳରେ ସାମିଲ କରିବା ସହ ଭାରତର ବ୍ୟାଟିଂ ୟୁନିଟକୁ ଆହୁରି ଶକ୍ତିଶାଳୀ କରିବାକୁ ଚେଷ୍ଟା କରିପାରନ୍ତି କୋଚ୍ ଗୌତମ ଗମ୍ଭୀର । ତେବେ ଯଦି ଋଷଭ ଦ୍ୱିତୀୟ ମ୍ୟାଚ୍ ପାଇଁ ଫିଟ୍ ନ ରୁହନ୍ତି, ତେବେ କେ.ଏଲ ରାହୁଲଙ୍କ ସହ ଶୁଭମନ ଗିଲଙ୍କୁ ମଧ୍ୟ ଦଳରେ ସାମିଲ କରିବା ଉପରେ ବିଚାର କରାଯାଇପାରେ ।