ସାମ୍ନାକୁ ଆସିଲା ସୁଜାତା କାର୍ତ୍ତିକେୟନଙ୍କ VRS ଲେଟର, ୧୫ ଦିନ ତଳେ…

ଭୁବନେଶ୍ୱର,୨୯ା୩:  ୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର(VRS) ଆବେଦନକୁ କେନ୍ଦ୍ର ମଞ୍ଜୁରୀ କରିଥିବା ସୂଚନା ମିଳିଛି। ଇତିମଧ୍ୟରେ ସୁଜାତାଙ୍କ VRS ଲେଟର ସାମ୍ନାକୁ ଆସିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଲେଟରରୁ ଜଣାପଡ଼ିଛି ଯେ, ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS ପାଇଁ ସୁଜାତା ଆବେଦନ କରିଥିଲେ।  ସୁଜାତା  ପ୍ରାୟ  ମାସକ ତଳୁ ସ୍ୱେଚ୍ଛାକୃତ ଅବସର ( VRS)ଲାଗି ଆବେଦନ କରିଥିଲେ। ହେଲେ ଏନେଇ ସରକାରୀସ୍ତରରେ ଖବର ପ୍ରକାଶ ପାଇ ନ ଥିଲା।  ମାତ୍ର ଏବେ କେନ୍ଦ୍ର ତାଙ୍କ ଲେଟର ଗ୍ରହଣ କରିବା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି ।

ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ପୂର୍ବରୁ VRS ନେଇ ରାଜନୀତିକୁ ଆସିଥିଲେ ଭିକେ ପାଣ୍ଡିଆନ। ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ । ତେବେ ଭିଆରଏସ ନେବା ପରେ ଉଭୟ ପାଣ୍ଡିଆନ ଓ ସୁଜାତାଙ୍କ ଆଭିମୁଖ୍ୟ କଣ ହେବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ୬ ମାସ ଛୁଟିରେ ଥିଲେ। ୨୬ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ୬ ମାସ ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ଭାଜପା ସରକାର ଅନୁମତି ଦେଇ ନଥିଲେ। ଏହାପରେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବା ପ୍ରକାଶ, ଯାହାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି।

ଭିଆରଏସ୍ ନେବା ପରେ ଏବେ ସୁଜାତା କ’ଣ କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର । ସେ ଓଡ଼ିଶା ଛାଡ଼ିଦେବେ ନା ବିଦେଶ ଚାଲିଯିବେ ତାଙ୍କ ପିଲାଙ୍କ ପାଖକୁ । ସ୍ୱାମୀ ପାଣ୍ଡିଆନଙ୍କ ପଥ ଅନୁସରଣ କରିବେ କି ସୁଜାତା? ନୂଆ ସରକାରରେ ଖାପଖୁଆଇ ପାରିଲେନି ବୋଲି ଚାକିରି ଛାଡ଼ିଲେ କି ସୁଜାତା? ତେବେ କ’ଣ ପାଇଁ ସୁଜାତା ଚାକିରି ଛାଡ଼ିଲେ ସେ ନେଇ ନାନା ଚର୍ଚ୍ଚା ହେଉଛି । ଭାଜପା କହିଛି ମନ୍ତ୍ରୀଙ୍କ ଆକ୍ଷେପ କାରଣ ଯୋଗୁ ସେ ଭିଆରଏସ ନେଇଥାଇପାରନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ସୁଜାତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ସୁଜାତାଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବାବେଳେ ତାଙ୍କର ପ୍ରାରମ୍ଭିକ ଜୀବନ  ଝାଡ଼ଖଣ୍ଡର ଜାମସେଦପୁରରେ କଟିଥିଲା, ଯେଉଁଠାରେ ତାଙ୍କ ବାପା ଜଣେ ଡାକ୍ତର ଥିଲେ। ୨୦୦୦ରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ, ଯାହା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା।  ନିର୍ବାଚନ ସମୟରେ ଏସଏଚଜି ମହିଳାଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଚାପ ପକାଇବା ଅଭିଯୋଗରେ ମିଶନ୍ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଥିଲେ ନିର୍ବାଚନ କମିଶନ । ପରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସୁଜାତାଙ୍କୁ ଅବସ୍ଥାପିତ କରାଯାଇଥିଲା ।