fbpx

ତପସ୍ୱିନୀ ଶ୍ୱଶୁର ଘରେ, ସୁମିତ ବାହାରେ: ଆଜି ଆସିବ କୋର୍ଟଙ୍କ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ବିବାଦର ଶୁଣାଣି ଆଜି କୋର୍ଟରେ ହେବ । ମାସାଧିକ ସମୟ ଧରି ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସମାଧାନର ବାଟ ବର୍ତ୍ତମାନ ସୁଦ୍ଧା ବାହାରି ପାରିନାହିଁ । ତପସ୍ୱିନୀ ନିଜ ଶ୍ୱଶୁଘର ସାମ୍ନାରେ ଧାରଣାରେ ବସିଥିବା ବେଳେ କିଛି ମହିଳା ଏକତ୍ରିତ ହୋଇ ଉକ୍ତ ଘରର ଗେଟକୁ ଜବରଦସ୍ତ ଭାଙ୍ଗି ଦେଇଥିଲେ । ଏହି ଘଟଣା ପର ସୁମିତଙ୍କ ମାଆ ଓ ଜେଜେମାଆଙ୍କ ପକ୍ଷରୁ କୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା । ଏହି ମାମଲାରେ କାଉଣ୍ଟର ଦେବା ପାଇଁ ତପସ୍ୱିନୀଙ୍କ ପକ୍ଷ ମାଗିଥିବା ସମୟକୁ କୋର୍ଟ ଖାରଜ କରିଦେଇଥିଲେ ।

ଗତ ୬ ତାରିଖରୁ ତପସ୍ୱିନୀ ନିଜ ଶ୍ୱଶୁର ଘରେ ପ୍ରବେଶ କରିଥିଲେ ହେଁ ସେହିଦିନ ରାତିରେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡ଼ି ପଳାଇ ଯାଇଥିଲେ । ଏବେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ଏକା ରହୁଥିବା ବେଳେ ତାଙ୍କର ସ୍ୱାମୀ ସୁମିତ ଅସୁସ୍ଥତା କାରଣରୁ ଛୁଟିରେ ରହିଛନ୍ତି । ଗତ ୧୧ ତାରିଖରେ ସୁମିତ ଜିଲ୍ଲା କୋର୍ଟଙ୍କ ରାୟ ବିରୋଧର ହାଇକୋର୍ଟରେ ଅପିଲ କରିଥିଲେ । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ପ୍ରଦାନ କରିବେ ବୋଲି ଗତ ୪ ତାରିଖରେ ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଚାଳିଥିବା ବେଳେ କିପରି କୋର୍ଟ ଏପରି ରାୟ ଦେଲେ ସେଥିରେ ଅସନ୍ତୋଷ ପ୍ରକାଶ କରି ସୁମିତଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ତେବେ ଦମ୍ପତିଙ୍କର ପରସ୍ପର ବିରୋଧର ଏକାଧିକ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ପାରିବାରିକ ମାମଲାର ସମାଧାନ ଶୀଘ୍ର ହେବା ଭଳି ଜଣାପଡ଼ୁନାହିଁ ।

Get real time updates directly on you device, subscribe now.