fbpx

ଆଜି ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ (ଓଡ଼ିଶା ଭାସ୍କର): ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥି ବୁଧବାର ରଥାରୁଢ ଶ୍ରୀବିଗ୍ରହଙ୍କ ବଡ଼ତଢାଉ ବେଶ ତଥା ସୁନା ବେଶ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ସୁଦ୍ଧା ସରିବ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ । ଏହାପରେ ମଇଲମ ଓ ମେକାପ ସର୍ବାଙ୍ଗ ହୋଇ ବେଶ ଆରମ୍ଭ ହେବ । ଅପରାହ୍ନ ୪ଟାରେ ଠାକୁରଙ୍କ ଏହି ଦୁର୍ଲ୍ଲଭ ବେଶ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଧାର୍ଯ୍ୟ ହୋଇଛି ।

ସୂଚନା ମୁତାବିକ, ବୁଧବାର ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ ହୋଇ ୫ଟା ୩୦ରେ ଶେଷ ହେବ । ରଥାରୂଢ ଶ୍ରୀବିଗ୍ରହମାନେ ମହଣ ମହଣ ସୁନାରେ ବିଭୂଷିତ ହେବେ । ସୁନାବେଶକୁ ଭକ୍ତମାନେ ଦୂରଦର୍ଶନ ଜରିଆରେ ଦେଖିପାରିବେ । ରଥ ଉପର ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବେ । ଶ୍ରୀମନ୍ଦିର ରତ୍ନସିଂହାସନରେ ଠାକୁରଙ୍କ କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା (ବିଜୟ ଦଶମୀ)ରେ ସୁନାବେଶ ହୋଇଥାଏ । ଏହାକୁ ସମସ୍ତେ ଦେଖି ପାରୁ ନଥିବା ବେଳେ ରଥ ଉପରେ ଠାକୁରଙ୍କ ସୁନାବେଶ ଦେଖି ବିଶ୍ୱବାସୀ ଅସରନ୍ତି ଆନନ୍ଦ ଲଭନ୍ତି । ଚଳିତ ବର୍ଷ କରୋନା ସଙ୍କଟ ଯୋଗୁ ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ହିଁ ଠାକୁରଙ୍କ ସୁନାବେଶ ଦର୍ଶନ କରିବେ ।

ତେବେ କୋଭିଡ୍‌ କଟକଣା ମଧ୍ୟରେ ବିନାଭକ୍ତରେ ଚଳିତ ମାସ ୧୨ ତାରିଖରେ ରଥଯାତ୍ରା ସମ୍ପନ୍ନ ହେବା ପରି ମଙ୍ଗଳବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି । କେବଳ ସେବାୟତଙ୍କ ଦ୍ୱାରା ୩ ରଥକୁ ଟଣାଯାଇଛି । ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ଗଡିଥିଲା ଶ୍ରୀବଳଭଦ୍ରଙ୍କ ରଥ । ବଳଭଦ୍ରଙ୍କ ରଥ ପଛେ ପଛେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲା ଦେବୀ ସୁଭଦ୍ରାଙ୍କ ରଥ । ଶେଷରେ ଆସିଥିଲା କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ । ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ଗଡ଼ିଥିଲା ତିନି ରଥ । ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଫେରିବା ବାଟରେ ଝିପିଝିପିର ବର୍ଷା ସତ୍ତେ୍ୱ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକି ଯାଇଥିଲେ ମହାପ୍ରଭୁ । ମାଉସୀ ମାଆ ପ୍ରସ୍ତୁତ କରିଥିବା ପୋଡ଼ପିଠା ଖାଇଥିଲେ କାଳିଆ ସାଆନ୍ତେ । ୩ଟି ଯାକ ରଥ ମାଉସୀ ମାଆଙ୍କ ମନ୍ଦିର ପହଞ୍ଚିବା ପରେ ପୋଡପିଠା ଭୋଗ କରାଯାଇଥିଲା । ପ୍ରତ୍ୟେକ ରଥ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଲେଖାଏଁ ପୋଡପିଠା କୁଡ଼ୁଆ ଭୋଗ ଲାଗିଥିଲା । ପୂଜକ ପୂର୍ବରୁ ପ୍ରସ୍ତୁତ କରିଥିବା ଏହି ପିଠାକୁ ପୂଜାପଣ୍ଡା ସେବାୟତ ରଥରେ ଲାଗି କରିଥିଲେ ।

ବାହୁଡା ଯାତ୍ରା ଅବସରରେ ମାଉସୀ ମା’ଙ୍କ ପୂଜକ ବିଶ୍ୱନାଥ ମିଶ୍ର ନିଜ ଘରେ ଏହି ପୋଡ଼ ପିଠା ପ୍ରସ୍ତୁତି କରିଥିଲେ । ପୋଡ଼ ପିଠା ଖାଇବା ପରେ ମହାପ୍ରଭୁ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ବାହୁଡ଼ା ଯାତ୍ରା ଅବସରରେ ପ୍ରଶାସନଠାରୁ ଆରମ୍ଭ କରି ସେବାୟତ ଯାଏଁ, ସମସ୍ତେ ନିଜ ନିଜ ସେବାରେ ବ୍ୟସ୍ତ । ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ଥିବାରୁ ବାହାର ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି । ତେଣୁ ପ୍ରଭୁଙ୍କ ଏହି ମାନବୀୟ ଲୀଳାଖେଳାକୁ ଦୂରରୁ ଥାଇ ଟିଭି ମାଧ୍ୟମରେ ଦେଖିଛନ୍ତି ଭକ୍ତ ।

କରୋନାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଏହି ଦୁର୍ଲଭଯାତ୍ରାରୁ ବିଚ୍ୟୁତ ରଖାଯାଇଛି । ତେବେ ବାହୁଡା ଯାତ୍ରାର ନିର୍ଘଣ୍ଟ ନୀତିଠାରୁ ସଅଳ ଅର୍ଥାତ ସକାଳ ୮ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା । ଚାରିଆଡ଼େ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ତିନି ଠାକୁର ଓ ସୁଦର୍ଶନ ଧାଡି ପହଣ୍ଡିରେ ଆସିଥିଲେ ରଥ ଉପରକୁ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଆସିଥିଲେ ପ୍ରଭୁ ଜଗତର ନାଥ ଜଗନ୍ନାଥ । ତିନି ଠାକୁର ହଲି ହଲି ଝୁଲି ଝୁଲି ଆସି ବିରାଜିତ ହୋଇଥିଲେ ରଥରେ । ଅତ୍ୟନ୍ତ ମନରୋମ ପରିବେଶରେ ତିନି ଠାକୁରଙ୍କ ପହଣ୍ଡି ଶେଷ ହୋଇଥିଲା । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତିକାନ୍ତି ।

ଏହାପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିବା ପରେ ଗଡ଼ିଥିଲା ରଥ । ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଥିଲା । ହେଲେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସମସ୍ତ ନୀତି ଶେଷ ହୋଇଯାଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଗଡ଼ିବା ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପାଇଁ ସୋମବାର ସଂଧ୍ୟାରୁ ଆରମ୍ଭ ହୋଇଥିଲା ସମସ୍ତ ରୀତିନୀତି । ବାହୁଡ଼ା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯିବା ସହ ପୁରୀ ସହରରେ ସୋମବାର ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ବିନା ଭକ୍ତରେ ବାହୁଡା ଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏପରିକି ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଥିଲା । କୋଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି ।

ଏହି କଠିନ ପରିସ୍ଥିତିରେ ମହାପ୍ରଭୁଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି । ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍‌ ସମୟରେ ସମ୍ପନ୍ନ କଲେ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଂଶସା କରିଛନ୍ତି । ଏଥିସହ ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି ଆଦି ବିଭିନ୍ନ ସରକାରୀ ସଂସ୍ଥା ପରିସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉତ୍ତମ ଭାବରେ ପରିଚାଳନା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କୋଭିଡ କଟକଣା ଯୋଗୁ, ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଯାତ୍ରାରେ ଭାଗ ନେଇ ପାରିନଥିଲେ । ଲୋକମାନେ ଘରେ ରହି ଯେପରି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ର ଆନନ୍ଦ ନେଇପାରିବେ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ସୁନ୍ଦର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସର୍ବୋପରି ପୁରୀର ଜନସାଧାରଣ ନବଦିନ ଯାତ୍ରା ସମୟରେ କୋଭିଡ଼୍‌ କଟକଣା ମାନି ଯେଭଳି ସଂଯମତା ପ୍ରଦର୍ଶନ କରିଛନ୍ତି ତାହା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ସହରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.