ଆଜି ବିଜେପିରେ ସାମିଲ ହେବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୁବନେଶ୍ୱର: ଆଜି ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ! ବିଜେପି ରାଜ୍ୟ ମୁଖ୍ୟାଳୟରେ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିବେ । ୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା ଦାସ । ତେବେ ଏହା ପରେ ଅକ୍ଟୋବର ୨୯ ତାରିଖରେ ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ଦାସ ।

ବିଜେଡି ଛାଡିବା ପରେ ସୁନନ୍ଦା ଦାସ ବିଜେଡି ଦଳ ଭିତର ଅନେକ ଗୁମର ଖୋଲିଥିଲେ । ସୂଚନାଯୋଗ୍ୟ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସେ ବରୀର ବିଧାୟିକା ଥିଲେ । କିନ୍ତୁ ୨୦୨୪ରେ ଦଳୀୟ ଟିକେଟରୁ ସେ ବଞ୍ଚିତ ହୋଇଥିଲେ । ତାଙ୍କ ବଦଳରେ ବିଜେପି ଛାଡି ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳ ଟିକେଟ୍ ଦେଇଥିଲା । ଆଉ ସେ ବିଜୟୀ ମଧ୍ୟ ହୋଇଥିଲେ । ତେବେ ଗତ ୫ ମାସ ହେବ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ ସୁନନ୍ଦା ଦାସ । ଏଥିରେ ମର୍ମାହତ ହୋଇ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଉଲ୍ଲେଖନୀୟ ୨୦୧୯ ନିର୍ବାଚନରେ ସୁନନ୍ଦାଙ୍କଠାରୁ ସେ ସମୟରେ ବିଜେପିର ପ୍ରାର୍ଥୀ ଥିବା ବିଶ୍ୱରଞ୍ଜନ ମଲ୍ଲିକ ୪ ହଜାର ଭୋଟରେ ହାରିଥିଲେ । ତଥାପି ୨୦୨୪ରେ ଦଳ ତାଙ୍କୁ ଆଉ ଭରସା କରି ନ ଥିଲା । ବିଜେଡିରେ ସୁନନ୍ଦା ନିଜକୁ ଅସହଜ ମଣିଥିଲେ । ଆଉ ଆଜି ସେ ନିଜ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଠିକ୍ ସେହି ସମୟରେ ଇସ୍ତଫା ଦେଇଛନ୍ତି ଯେଉଁ ଦିନ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ଆସନରେ ବିଜୟୀ ହେବ ।