ମହାରାଷ୍ଟ୍ର ରାଜନୀତି: ଆଜି ରାତି ୯ଟାରେ ସୁପ୍ରିମକୋର୍ଟ କରିବେ ଚୂଡ଼ାନ୍ତ ଫଇସଲା

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷର ନଜର ଏବେ ମହାରାଷ୍ଟ୍ର ରାଜନୀତି ଉପରେ ରହିଛି । ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି ଜଣାଇଥିଲେ । ତେବେ ଫ୍ଲୋର ଟେଷ୍ଟ ବିରୋଧରେ ମହା ବିକାଶ ଅଘାଡ଼ି ସରକାର ସୁପ୍ରିମକୋର୍ଟରେ ୟାଚିକା ଦାୟର କରିଥିଲେ । ଏହାମଧ୍ୟରେ ଫ୍ଲୋର ଟେଷ୍ଟକୁ ନେଇ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଇଛନ୍ତି ।

ଦୁଇ ପକ୍ଷଙ୍କ ଦଲିଲକୁ ଶୁଣିବା ପରେ ରାଜ୍ୟପାଳ ନିଜର ନିଷ୍ପତ୍ତି ସୁରକ୍ଷିତ ରଖିବା ସହ ରାତି ୯ଟାରେ ଶୁଣାଣି କରିବେ ବୋଲି ସ୍ଥିର କରିଛନ୍ତି । ଅଭିଷେକ ମନୁ ସିଂଘଭୀ ଶିବସେନା ପକ୍ଷରୁ ଆଇନ ପରିଚାଳନା କରୁଥିଲେ । ସେହିପରି ବିଦ୍ରୋହୀ ବିଧାୟକ ଏକନାଥ ଶିନ୍ଦେଙ୍କ ପକ୍ଷରୁ ନୀରଜ କିଶନ କୌଲ ମକଦଦମା ଲଢ଼ୁଥିଲେ ।

ଫ୍ଲୋର ଟେଷ୍ଟ ପାଇଁ ସର୍ବନିମ୍ନ ସମୟ ରହିଥାଏ କି ବୋଲି ଅଭିଷେକ ସିଂଘଭୀ ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିଥିଲେ । ଯଦି ଫ୍ଲୋର ଟେଷ୍ଟ ହୁଏ, ତେବେ ସରକାର ବଦଳିଯାଏ । ଏପରି ସ୍ଥିତିରେ ପୁନର୍ବାର ଫ୍ଲୋର ଟେଷ୍ଟ କରାଯାଇ ପାରିବ ନାହିଁ ବୋଲି ସମ୍ବିଧାନରେ ଲେଖା ହୋଇଛି କି ବୋଲି ସେ ପ୍ରଶ୍ନ ପଚାରିଥିଲେ ।

ଶୁଣାଣି ସମୟରେ ଶିନ୍ଦେଙ୍କ ଓକିଲ କହିଥିଲେ, ଏକନାଥଙ୍କ ପାଖରେ ବହୁତ ବିଧାୟକ ରହିଛନ୍ତି । ତେଣୁ ସେ ଶିବସେନା ଛାଡ଼ିବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ମାତ୍ର ୧୪ ଜଣ ବିଧାୟକ ରହିଛନ୍ତି, ତେଣୁ ସେ କ୍ଷମତାରେ ରହିବାକୁ ସଂଘର୍ଷ କରୁଛନ୍ତି ।