ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଥିବା ଯୌତୁକ ଜନିତ ନିର୍ଯାତନା ମାମଲା ଓ ସେଥିରେ ଅନେକ ମିଛ ଅଭିଯୋଗ କୁ ନେଇ ସୁପ୍ରିମ କୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ଏମିତି କି ଆଇନରେ ସଂଶୋଧନ ଆଣିବାର ସମୟ ଆସିଥିବା କହିଛନ୍ତି କୋର୍ଟ । ଅନେକ ମିଛ ମାମଲାରେ ବର ଘର ବହୁ ସମସ୍ୟା ଭୋଗିବାକୁ ନେଇ ଚିନ୍ତା ବ୍ୟକ୍ତ କରିଚନ୍ତି ।
ମହାରାଷ୍ଟ୍ରର ଏକ ଯୌତୁକ ମାମଲାର ଶୁଣାଣି କରି ତଥ୍ୟ ପ୍ରମାଣ ଅଭାବରୁ ସୁପ୍ରିମ କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ମାମଲାରେ ତଳ କୋର୍ଟଙ୍କ ଆଦେଶରେ ସେ ତିନି ବର୍ଷ ହେଲା ଜେଲରେ ଥିଲେ । ଏଥିସହ ନିଜ ଚାକିରି ମଧ୍ୟ ହରାଇଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି, ପୂର୍ବରୁ ୨୦୧୦ରେ ପ୍ରୀତି ଗୁପ୍ତା ବନାମ ଝାରଖଣ୍ଡ ସରକାର ମାମଲାରେ ଆମେ ଆଇନରେ ସଂଶୋଧନ ଆଣିବାକୁ କହିଥିଲୁ ।
କୋର୍ଟ ଅନୁଭବ କରିଥିଲେ କି, ଝିଅ ଓ ତା ପରିବାର ତରଫରୁ ଆସୁଥିବା ଅଭିଯୋଗ ପାଇଁ ବର ପକ୍ଷ ବହୁ ସମସ୍ୟା ଭୋଗୁଛନ୍ତି । ଧାରା ୪୯୮ ଲାଗିବା ଅର୍ଥ ଝିଅ ସ୍ୱାମୀ ବା ତାର ପରିବାର ଦ୍ୱାରା ଅଥବା ଉଭୟଙ୍କ ଦ୍ୱାରା ପ୍ରପୀଡିତ ହେଉଛି । ଏହି ଧାରାର ଦୁରୁପଯୋଗ ହେଉଛି । କୋର୍ଟଗୁଡିକରେ ମିଛ ଡାଉରୀ ମାମଲାର ଲମ୍ବା ଧାଡି ରହିଛି । ଏହା ବ୍ୟତୀତ ଏହା ସାମାଜିକ ସଦ୍ଭାବନାକୁ କ୍ଷୁନ୍ନ କରୁଛି । ଲୋକଙ୍କ ଜୀବନ ନର୍କ ସମ ହୋଇଯାଉଛି । ତେଣୁ ଆଇନରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ପୁଣି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ମହାରାଷ୍ଟ୍ରର ଏହି ମାମଲାରେ ପୀଡିତାଙ୍କ ଅଭିଯୋଗ ଆଧାରରେ ୨୦୧୫ ନଭେମ୍ବରକୁ ଅଭିଯୁକ୍ତ ସ୍ୱାମୀକୁ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚାକିରି ଚାଲିଯାଇଥିଲା । ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ହୋଇଥିଲା । ତେବେ ଏହି ମାମଲାରେ ସୁପ୍ରିମ କୋର୍ଟ ତଥ୍ୟ, ପ୍ରମାଣ ଅଭାବରୁ ତଳ କୋର୍ଟଙ୍କ ରାୟକୁ ଖାରଜ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ।