ନୂଆଦିଲ୍ଲୀ: ମଣିଷର ଜୀବନ ଯାପନ ପ୍ରଣାଳୀରେ କ୍ଷୀରର ମହତ୍ତ୍ୱ ଖୁବ ଅଧିକ ରହିଛି । ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ ହୋଇଥାଏ ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ କ୍ଷୀର । ସକାଳ ଚା’ର ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ କ୍ଷୀରକୁ ବିଭିନ୍ନ ରୂପରେ ଆମେ ଗ୍ରହଣ କରିଥାନ୍ତି । କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶରୀରର ଆବଶ୍ୟକତାକୁ ପୂରଣ କରିଥାଏ । କିନ୍ତୁ ବର୍ତ୍ତମାନ ଏହି କ୍ଷୀରରେ ବିଭିନ୍ନ କେମିକାଲ ମିଶ୍ରଣ ହେଉଥିବା ଦେଖିବାକୁୁ ମିଳିଛି । ଏହାକୁ ବଜାରରେ ବିକ୍ରି କରାଯାଉଥିବା ବେଳେ ଲୋକେ ବର୍ତ୍ତମାନ ଏହାକୁ ‘ଧଳା ଜହର’ ବୋଲି କହୁଛନ୍ତି । ତେବେ ବର୍ତ୍ତମାନ ଏସବୁରୁ ମିଳିବ ମୁକ୍ତି । ଏଥିପାଇଁ ଏକ ସ୍ପେସାଲ କିଟ୍ ପ୍ରସ୍ତୁତ ହୋଇଯାଇଛି, ଯାହା ମାତ୍ର ୧ ଟଙ୍କା ଖର୍ଚ୍ଚରେ କ୍ଷୀରର ଗୁଣବତ୍ତା ଚିହ୍ନାଇ ଦେବ ।
ଆଇଆଇଟି କାନପୁର ଏହି ସମସ୍ୟାର ସମାଧାନ ଖୋଜି ବାହାର କରିବାରେ ସଫଳ ହୋଇଛି । ଏହାର ଇନକ୍ୟୁବେଟର କମ୍ପାନୀ ଇ-ସ୍ନିଫ ପ୍ରାଇଭେଟ ଲିମିଟେଡ ଏକ ‘ପେପର ବେସ୍ଡ ମିଲ୍କ ଟେଷ୍ଟିଙ୍ଗ କିଟ୍’ ତିଆରି କରିଛି । ମାତ୍ର କେଇଟା ସେକେଣ୍ଡରେ ଯାଞ୍ଚ କରି କ୍ଷୀରର ଗୁଣବତ୍ତା ଏବଂ ଶୁଦ୍ଧତା ସ୍ପଷ୍ଟ କରିପାରିବ ଏହି କିଟ୍ । ତେବେ ଆସନ୍ତା ମାସ ସୁଦ୍ଧା ଏହି କିଟ୍ ବଜାରରେ ଉଲବ୍ଧ ହୋଇପାରିବ । ଖୁବ କମ୍ ଖର୍ଚ୍ଚରେ ଲୋକେ ଏହାକୁ କିଣିପାରିବେ । ବଜାରରେ ମିଳୁଥିବା ନକଲି କ୍ଷୀରରେ ପ୍ରାୟତଃ ୟୁରିଆ, ଡିଟରଜେଣ୍ଟ, ସଲଫର, ବୋରିକ ଏସିଡ, ହାଇଡ୍ରୋଜେନ୍ ପେରକ୍ସାଇଡ, ସାବୁନ, ଷ୍ଟାର୍ଚ୍ଚ ଏବଂ ମାଇକ୍ରୋବ୍ସ ଭଳି ଖତରନାକ ତତ୍ତ୍ୱ ମିଳିଥାଏ । ତେବେ ଏହି କିଟ୍ ଏହି ୮ଟି ପ୍ରକାରର ଜିନିଷକୁ ଚିହ୍ନଟ କରିପାରିବ ।
ଏହି କିଟ୍ ସାହାଯ୍ୟରେ ନକଲି କ୍ଷୀର ଉତ୍ପାଦନ ଏବଂ ବିକ୍ରି ଉପରେ ରୋକ ଲଗାଇବା ସହ ଲୋକଙ୍କୁ ପୋଷକ କ୍ଷୀର ଯୋଗାଇବାରେ ସାହାଯ୍ୟ କରିବ । ଆଇଆଇଟି କାନପୁରର ଇନକ୍ୟୁବେଣ୍ଟେଡ କମ୍ପାନୀ ଇ-ସ୍ନିଫ ବିଶେଷଜ୍ଞ ମାନଙ୍କ ତତ୍ତ୍ୱାବଧାନରେ ଏହି କିଟ୍ ପ୍ରସ୍ତୁତ କରିଛି । କମ୍ପାନୀର ନିର୍ଦ୍ଦେଶକ ପ୍ରଦୀପ ଦ୍ୱିବେଦୀ କହିଛନ୍ତି ଯେ, ଏହି କିଟ୍ ଡିାରଡିଓ ଏବଂ ଆଇଆଇଟି କାନପୁରର ସମସ୍ତ ପରୀକ୍ଷଣରେ ସଫଳତା ହାସଲ କରିଛି । ଏହି କିଟ୍ ଜରିଆରେ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ଲୋକେ ଅସଲି କ୍ଷୀର ଚିହ୍ନଟ କରିପାରିବେ । ଏହି କିଟ୍ ପ୍ରତ୍ୟେକ ପରିବାର ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସାଧନ ହୋଇପାରେ । ଏହାର ମୂଲ୍ୟ ଏବଂ ସରଳ ଉପଯୋଗ ପ୍ରତ୍ୟେକ ବର୍ଗର ଉପଭୋକ୍ତାଙ୍କ ପାଇଁ ବେଶ୍ ସହାୟକ ହୋଇପାରେ ।