fbpx
BJD SKY
BJD SKY

ସର୍ଭେରୁ ଆଶ୍ଚର୍ଯ୍ୟକର ଖୁଲାସା: ସ୍ମାର୍ଟ ଫୋନ ପାଇଁ ଚିନ୍ତାରେ ଅବିଭାବକ

BJD

ନୂଆଦିଲ୍ଲୀ: ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୟଷ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଫୋନରେ ବ୍ୟସ୍ତ ରହିଛନ୍ତି । ଖାସ୍ କରି ଛୋଟ ପିଲାମାନେ ଅତ୍ୟଧିକ ମାତ୍ରାରେ ଏହି ସ୍ମାର୍ଟ ଫୋନରେ ଅଭ୍ୟସ୍ତ ରହୁଛନ୍ତି । ଯାହାକି ଅଭିଭାବକଙ୍କ ଚିନ୍ତା ବଢାଇ ଦେଇଛି । ତେବେ ନିକଟରେ ଦକ୍ଷିଣ କୋରିଆରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଅଧିକାଂଶ ପିତାମାତା ପିଲାମାନଙ୍କର ଯତ୍ନ ନେବା ପାଇଁ ସ୍ମାର୍ଟଫୋନ୍, ଟାବଲେଟ୍ କିମ୍ବା କମ୍ପ୍ୟୁଟର ଉପରେ ନିର୍ଭର କରୁଛନ୍ତି। ଏହି ସର୍ଭେରେ ଦେଶର ଯୁବକମାନଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ନିଶା ବୃଦ୍ଧି ହେବାର ଏକ ଗ୍ରାଫ୍ ମଧ୍ୟ ଦେଖାଯାଇଛି ।

କୋରିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଚାଇଲ୍ଡ କେୟାର ଆଣ୍ଡ ଏଜୁକେସନ୍ ତରଫରୁ ୧ ରୁ ୭ ବର୍ଷ ବୟସର ପିଲାମାନଙ୍କ ସହିତ ୧,୫୦୦ ପିତାମାତାଙ୍କୁ ଏହି ସର୍ଭେରେ ଅର୍ନ୍ତଭୁକ୍ତ କରାଯାଇଥିଲା । ଯେଉଁଥିରୁ ୭୦.୨ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ନିଜର ଦୈନନ୍ଦିନର ସମସ୍ତ କାର୍ଯ୍ୟ କରିବା ପାଇଁ ଘରେ ନିଜ ପିଲାମାନଙ୍କୁ ସ୍ମାର୍ଟଫୋନ୍ ଦେଇଛନ୍ତି । ଯେଉଁଥିପାଇଁ ଏହି ସ୍ମାର୍ଟ ଫୋନ ପିଲାମାନଙ୍କର ନିଶା ପାଲଟୁଛି ।
ସର୍ଭେରୁ ପ୍ରକାଶ ପାଇଛି ଏହି ତଥ୍ୟ:
ନ୍ୟୁଜ୍ ଏଜେନ୍ସି ୟୋନହାପର ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଅଗଷ୍ଟରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ଯେଉଁଥିରେ ୭୪.୩ ପ୍ରତିଶତ ଲୋକ ନିଜ ପିଲାମାନଙ୍କୁ ସାଧାରଣ କାର୍ୟ୍ୟକଳାପର କୁପ୍ରଭାବରୁ ଦୂରେଇ ରଖିବାକୁ ସ୍ମାର୍ଟଫୋନ ଦେଉଥିବାର କାରଣ ଦର୍ଶାଇଥିବା ବେଳେ ୫୨ ପ୍ରତିଶତ ଲୋକ ପିଲାଙ୍କୁ ପାଠପଢା ପାଇଁ ସ୍ମାର୍ଟ ଫୋନ ଦେଇଥିବା କହିଛନ୍ତି ।

କମ ବୟସରୁ ସ୍ମାର୍ଟଫୋନ୍ ନିଶା:
ସର୍ଭେର ରିପୋର୍ଟ ଆନୁସାରେ , ୧୨ ରୁ ୧୮ ମାସ ବୟସର ୨୦.୫ ପ୍ରତିଶତ ପିଲା ସ୍ମାର୍ଟଫୋନରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୮ ରୁ ୨୪ ମାସ ବୟସର ୧୩.୪ ପ୍ରତିଶତ ପିଲାମାନେ ଏହି ସ୍ମାର୍ଟ ଫୋନ ନିଶାର ଶିକାର ହୋଇଛନ୍ତି । ତେବେ ପ୍ରତି ସପ୍ତାହରେ ପିଲାମାନଙ୍କର ସ୍ମାର୍ଟଫୋନ୍, ଟାବଲେଟ୍ କିମ୍ବା କମ୍ପ୍ୟୁଟର ବ୍ୟବହାର ସମୟ ୫୫.୩ ମିନିଟ୍ ବୋଲି ସର୍ଭେକ୍ଷଣରୁ ଜଣା ପଡିଛି ।

ଏତତ୍ ବ୍ୟତୀତ ସପ୍ତାହ ଶେଷରେ ଏହା ୯୭.୬ ମିନିଟ ବୋଲି ରେକର୍ଡ କରାଯାଇଛି । ସର୍ଭେ ଫଳାଫଳରୁ ଆହୁରି ମଧ୍ୟ ଜଣାପଡିଛି ଯେ ଦେଶର ଯୁବକମାନଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ନିଶା ଦୃତ ଗତିରେ ବଢିବାର ଲାଗିଛି । ବିଜ୍ଞାନ ଏବଂ ଆଇସିଟି ମନ୍ତ୍ରଣାଳୟ ଦ୍ୱାରା ୨୦୨୦ ମସିହାରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ୩୫.୮ ପ୍ରତିଶତ କିଶୋର ଏବଂ ୨୭.୩ ପ୍ରତିଶତ ପିଲା ସ୍ମାର୍ଟଫୋନ୍ ଉପରେ ନିର୍ଭରଶୀଳ ହେଉଛନ୍ତି। ଯାହାକି ବର୍ତ୍ତମାନ ଅଭିଭାବକଙ୍କ ଚିନ୍ତା ବଢାଉଥିବା ବେଳେ ଏହା ଆଗକୁ ଆହୁରି ବଢିବବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.