fbpx

ଗ୍ରାହକଙ୍କୁ ଝଟକା ଦେଲେ ଦେଶର ଦୁଇଟି ସରକାରୀ ବ୍ୟାଙ୍କ: ବଢ଼ିବ କାର, ପର୍ସନାଲ ଓ ହୋମ୍ ଲୋନର EMI

ନୂଆଦିଲ୍ଲୀ: ଦେଶର ଦୁଇଟି ସରକାରୀ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି । ଏହି ଦୁଇଟି ବ୍ୟାଙ୍କ ପକ୍ଷରୁ ମାର୍ଜିନଲ କଷ୍ଟ ଅଫ୍ ଫଣ୍ଡ ବେସଡ ଲେଣ୍ଡିଂ ରେଟ (ଏମସିଏଲଆର) ବୃଦ୍ଧି କରାଯାଇଛି । ବ୍ୟାଙ୍କଗୁଡ଼ିକର ଏମସିଏଲଆର ଦର ୦.୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହାଫଳରେ ଗ୍ରାହକଙ୍କ ପାଇଁ ଏଣିକି ଋଣ ଅଧିକ ମହଙ୍ଗା ହୋଇଯିବ ।

ବ୍ୟାଙ୍କ ଅଫ୍ ବରୋଦା (ବିଓବି) ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି) ପକ୍ଷରୁ ଏମସିଏଲଆର ବୃଦ୍ଧି କରାଯାଇଛି । ଗତ ୧୦ ତାରିଖରୁ ଆଇଓବିର ନୂଆ ସୁଧ ଦର ଲାଗୁ ହୋଇଯାଇଛି । ବ୍ୟାଙ୍କ ପକ୍ଷରୁ ଓଭରନାଇଟ୍ ପାଇଁ ଏମସିଏଲଆର ୭.୦୫ ପ୍ରତିଶତ ହେବ । ଏକ ମାସ ପାଇଁ ଏମସିଏଲଆରକୁ ୭.୧୫ ପ୍ରତିଶତ ରଖାଯାଇଛି । ତିନି ଓ ଛଅ ମାସ ପାଇଁ ଏହା ୭.୭୦ ପ୍ରତିଶତ ରହିଛି । ସେହିପରି ଏକବର୍ଷ ପାଇଁ ୭.୬୫ରୁ ବୃଦ୍ଧି ପାଇ ୭.୭୫ ପ୍ରତିଶତ ରଖାଯାଇଛି ।

ସେହିପରି ବିଓବିର ଏମସିଏଲଆର ରେଟ ଏକ ବର୍ଷ ପାଇଁ ୭.୭୦ରୁ ୭.୮୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଛଅ ମାସ ପାଇଁ ୭.୫୫ରୁ ୭.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ତିନି ମାସ ପାଇଁ ୭.୪୫ରୁ ୭.୫୦କୁ ପ୍ରତିଶତ ବଢ଼ାଯାଇଛି । ସେପ୍ଟେମ୍ବର ୧୨ ତାରିଖରୁ ଏହା ନୂଆ ଦର ଲାଗୁ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ସାଧାରଣ ଭାବେ ଏମସିଏଲଆର ଦରରେ ବୃଦ୍ଧି ଘଟିଲେ କାର, ପର୍ସନାଲ ଓ ହୋମ ଲୋନ୍ ପ୍ରଭାବିତ ହୋଇଥାଏ । ଏମସିଏଲଆର ବୃଦ୍ଧି ପାଇବା ନୂଆ ଲୋନଧାରୀଙ୍କ ପାଇଁ ଏକ ବଡ଼ ଝଟକା ହୋଇଥାଏ ।

Get real time updates directly on you device, subscribe now.