ଟ୍ରଫି ଆଣିଲେ କ୍ୟାପଟେନ ସୂର୍ଯ୍ୟକୁମାର: ଜୋରଦାର ସେଲିବ୍ରେସନ କଲା ଇଣ୍ଡିଆ ଟିମ୍…
ରୋହିତଙ୍କ ଷ୍ଟାଇଲରେ ଟ୍ରଫି ଉଠାଇଲେ ସୂର୍ଯ୍ୟ
ଦୁବାଇ: ଜିତିଲା ଏସିଆ କପ ସେଲିବ୍ରେସନ କରିଲା ଭାରତ । ଜିତିବା ପରେ ଟ୍ରଫି ଆଣିଦେଲେ କ୍ୟାପଟେନ ସୂର୍ଯ୍ୟକୁମାର । “ଭାରତ ମାତା କି ଜୟ” ଧ୍ୱନିରେ କମ୍ପିଲା ପୂରା ଷ୍ଟାଡିଅମ୍ ।
ଗତକାଲିର ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିବା ପରେ ଏସିସିର ସଭାପତି ମୋହସିନ ନକବିଙ୍କ ହାତରୁ ଟ୍ରଫି ନେବା ପାଇଁ ମନା କରିଥିଲା ଟିମ ଇଣ୍ଡିଆ ।
କାରଣ ସେମାନେ ପାକିସ୍ତାନର ଗୃହମନ୍ତ୍ରୀ ତଥା ଏସିସିର ସଭାପତି ମୋହସିନ ନକବିଙ୍କ ହାତରୁ ଚାମ୍ପିଅନ୍ସ ଟ୍ରଫି ନେବା ପାଇଁ ଚାହୁଁନଥିଲେ । ଏପରିକି ଭାରତୀୟ ଖେଳାଳି , ଏମିରେଟସ ବୋର୍ଡର ଭାଇସ ଚେୟାରମ୍ୟାନ ଖଲିଦ୍ ଅଲ ଜରୁନୀଙ୍କ ହାତରୁ ଟ୍ରଫି ନେବା ପାଇଁ ଦାବି କରିଥିଲେ ।
ଏହାପରେ ଏସିସିର ସଭାପତି ଟ୍ରଫି ନେଇ ଫେରିଯାଇଥିଲେ, ଏନେଇ ଅନେକ ବିବାଦ ଆରମ୍ଭ ହୋଇସାରିଛି ।ଏହାରି ଭିତରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ପ୍ରେସ କନଫରେନ୍ସରେ କହିଥିଲେ କି ଏହା ପ୍ରଥମ ଟୁର୍ଣ୍ଣମେଣ୍ଟ ଯେଉଁଠି କି ଚାମ୍ପିଅନ ଦଳକୁ ଟ୍ରଫି ଦିଆଯାଇନାହିଁ । ଏହା ଅନୁଚିତ୍ ।
ତେବେ ସୂର୍ଯ୍ୟ ଏତିକି କହୁ କହୁ ଅଭିଷେକ ଶର୍ମା ତାଙ୍କ ପାଳି ଧରି ଏପରି କିଛି କହିଥିଲେ ଯାହା ମାହୋଲକୁ ମଜାଦାର କରିଦେଇଥିଲା । “ଆମ ପାଖରେ ଟ୍ରଫି ଅଛି । ସୂର୍ଯ୍ୟ ଭାଇ ଆମକୁ ଟ୍ରଫି ଆଣି ଦେଲେ । ଆମେ ଅନୁଭବ କଲୁ କି ଏହା ବହୁତ ଭାରୀ ଥିଲା ।” ଏପରି କିଛି କହି ଅଧିନାୟକଙ୍କ ପାଳି ଧରିଥିଲେ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ।
ସୂଚନାଯୋଗ୍ୟ ଯେ ଭାରତ ମ୍ୟାଚ ଜିତିବା ପରେ ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମାଙ୍କ ଷ୍ଟାଇଲରେ ଟିମ ଖେଳାଳିଙ୍କ ପାଖକୁ ଆସିଥିଲେ । ଏପରିକି ହାତରେ ଟ୍ରଫି ଧରିବା ଭଳି ଷ୍ଟାଇଲରେ ସେ ଅଭିନୟ କରିଥିଲେ ଓ ଅନ୍ୟ ଖେଳାଳି ତାଙ୍କ ହାତରୁ ସେ ଇମାଜିନାରୀ ଟ୍ରଫି ଉଠାଇନେଇଥିଲେ । ଏହି ସେଲିବ୍ରେସନ ବାବଦରେ ଅଭିଷେକ କହିଥିଲେ ।