fbpx

ଭିମସାରରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କର ମୃତ୍ୟୁ

ସମ୍ବଲପୁର (ଓଡ଼ିଶା ଭାସ୍କର): ରାଜ୍ୟରେ ବ୍ଲାକ୍ ଫଙ୍ଗସର ୨୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଗତକାଲି ସୂଚନା ଦେଇଥିଲେ ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଧୀରେ ଧୀରେ ବ୍ଲାକ୍ ଫଙ୍ଗସ୍ ଓଡିଶାରେ ବ୍ୟାପିବାରେ ଲାଗିଥିବା ବେଳେ ଆଜି ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ତଥା ଭିମସାରରେ ଜଣେ ବ୍ଲାକ୍ ଫଙ୍ଗସ୍ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସଂକ୍ରାନ୍ତରେ ଭିମସାର ଅଧୀକ୍ଷକ ଲାଲମୋହନ ନାୟକ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆଜି ମୃତ୍ୟୁ ହୋଇଥିବା ରୋଗୀଙ୍କଠାରେ ବ୍ଲାକ୍ ଫଙ୍ଗସ୍ର ଲକ୍ଷଣ ରହିଥିଲା । ସେ ୫-୬ ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତେଣୁ ତାଙ୍କର ବ୍ଲାକ୍ ଫଙ୍ଗସ୍ ହୋଇଛି କି ନାହିଁ ତାହା ଜାଣିବା ପାଇଁ କ୍ଲିନିକାଲ ଟେଷ୍ଟ ହୋଇ ପାରିନଥିଲା । ତେଣୁ ସେ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ଥିଲେ କି ନାହିଁ ତାହା ସ୍ପଷ୍ଟ ରୂପେ କହି ହେବନାହିଁ ଅଧୀକ୍ଷକ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ଅନ୍ୟ ରାଜ୍ୟରେ ହଜାର ହଜାର ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ସେମିତି ସ୍ଥିତି ନାହିଁ । ରାଜ୍ୟରେ ମାତ୍ର ୨୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ୩ ଜଣ ବ୍ଲାକ୍ ଫଙ୍ଗସରେ ପ୍ରାଣ ହରାଇଥିବା କୁହାଯାଉଥିଲେ ହେଁ ସେମାନଙ୍କର ମୃତ୍ୟୁ ଭିନ୍ନ କାରଣରୁ ହୋଇଛି । ବ୍ଳକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଯେଉଁ ଇଞ୍ଜେକ୍ସନ ଦରକାର, ତାହା ଯୋଗେଇ ଦେବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି । ଯାହା ଆସୁଛି, ସେଗୁଡ଼ିକୁ ବଣ୍ଟା ଯାଉଛି ।

Get real time updates directly on you device, subscribe now.