fbpx

ଟି-୨୦ ବିଶ୍ଵ କପ୍ ୨୦୨୨: ଭାରତ-ପାକିସ୍ତାନ ମ୍ୟାଚରେ କିଏ ମାରିବ ବାଜି ? ଅଖତରଙ୍କ ବଡ ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଟି-୨୦ ବିଶ୍ଵ କପରେ ପୁଣି ଥରେ ମୁହାଁମୁହିଁ ହେବେ। ଏହି ବହୁ ପ୍ରତୀକ୍ଷିତ ମୁକାବିଲା ଚଳିତ ବର୍ଷ ଅକ୍ଟୋବର ୨୩ରେ ମେଲବର୍ଣ୍ଣରେ ଖେଳାଯିବ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ରେ ଦୁଇ ଦଳର ଏହା ପ୍ରଥମ ମ୍ୟାଚ୍ ହେବ। ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ବିଶ୍ଵ କପ୍ରେ ପାକିସ୍ତାନ ପ୍ରଥମ ଥର ଭାରତକୁ ହରାଇଥିଲା। ଏହା ପରଠୁ ପାକିସ୍ତାନର ଉତ୍ସାହ ଆକାଶଛୁଆଁ ରହିଛି। ଏହି କାରଣରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ବଡ ଦାବି କରିଛନ୍ତି। ସେ କହିଛନ୍ତି, ଏଥର ମଧ୍ୟ ପାକିସ୍ତାନ ଭାରତକୁ ପରାସ୍ତ କରିବ।
ଟାଇମ୍ସ ନାଓ ଅନୁଯାୟୀ, ସୋଏବ ଅଖତର କହିଛନ୍ତି, ଆମେ ମେଲବର୍ଣ୍ଣରେ ପୁଣି ଥରେ ଭାରତକୁ ହରାଇବୁ। ପାକିସ୍ତାନ ଟି-୨୦ କ୍ରିକେଟ୍ରେ ଭାରତଠୁ ଉନ୍ନତ ଦଳ। ସେଠାକାର ମିଡିଆ ନିଜ ଦଳ ଉପରେ ଅଯଥା ଚାପ ପକାଉଛନ୍ତି। ଯେବେ ବି ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ ଭାରତ ହାରିବା ସ୍ଵାଭାବିକ ବୋଲି ଅଖତର କହିଛନ୍ତି।
ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଟି-୨୦ ବିଶ୍ଵ କପରେ ପାକିସ୍ତାନ ପ୍ରଥମ ଥର ଭାରତକୁ ମାତ୍ ଦେଇଥିଲା। ପାକିସ୍ତାନ ଭାରତକୁ ୧୦ ଓ୍ଵିକେଟ୍ରେ ପରାଜିତ କରିଥିଲା। ଏହି ମ୍ୟାଚକୁ ଆଧାର କରି ଅଖତର ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ଵ କପ୍ ମ୍ୟାଚକୁ ନେଇ ଭବିଷ୍ୟତବାଣୀ କରିଛନ୍ତି। ତେବେ ଟୁର୍ଣ୍ଣାମେଣ୍ଟକୁ ଆହୁରି ନଅ ମାସ ସମୟ ବାକି ରହିଛି। ତେଣୁ ଫଳାଫଳକୁ ନେଇ ଏବେଠୁ କିଛି କହିବା ଭୁଲ୍ ହେବ। ଟି-୨୦ ବିଶ୍ଵ କପରେ ଏବେ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଛଅଟି ମ୍ୟାଚ୍ ଖେଳାଯାଇଛି। ଏଥିରୁ ଭାରତ ୫ଟିରେ ବିଜୟୀ ହୋଇଛି।

Get real time updates directly on you device, subscribe now.