fbpx

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିସିସିଆଇର ବଡ ପଦକ୍ଷେପ, ଟି-୨୦ ବିଶ୍ୱ କପ୍ ଛାଡି ସ୍ୱଦେଶ ଫେରିବେ ୪ ଖେଳାଳି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହା ମୁକାବିଲା ପୂର୍ବରୁ ବିସିସିଆଇ ନେଇଛି ବଡ ପଦକ୍ଷେପ । ଭାରତୀୟ କ୍ରିକେଟ୍ ବୋର୍ଡ ଭାରତୀୟ ଦଳରେ ସାମିଲ ଚାରି ଖେଳାଳିଙ୍କୁ ଭାରତ ପଠାଇବାକୁ ନିଷ୍ପତ୍ତି ନେଇଛି । କର୍ଣ୍ଣ ଶର୍ମା, ଶାହବାଜ ନଦିମ, କୃଷ୍ଣପା ଗୌତମ ଓ ଭେଙ୍କଟେଶ ଆୟରଙ୍କୁ ସ୍ୱଦେଶ ଫେରିବାକୁ ବିିସିସିଆଇ କହିଛି । ଏହି ସବୁ ଖେଳାଳି ନେଟ୍ ବୋଲର ଭାବେ ଦଳରେ ଥିଲେ । ବିସିସିଆଇ ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରସ୍ତୁତି ପାଇଁ ମୋଟ୍ ଆଠ ଜଣ ନେଟ୍ ବୋଲରଙ୍କୁ ଚୟନ କରିଥିଲା । ଏବେ ଦେଶକୁ ଫେରୁଥିବା ଏହି ଚାରି ଖେଳାଳି ଘରୋଇ ଟୁର୍ଣ୍ଣାମେଣ୍ଟ ସୈୟଦ ମୁସ୍ତାକ ଅଲ୍ଲୀରେ ନିଜର ଦମ୍ ଦେଖାଇବେ ।

ଉମରାନ ମଲିକ, ଅଭେଶ ଖାନ, ହର୍ଷଲ ପଟେଲ ଓ ଲୁକମାନ ମୋରିୱାଲଙ୍କୁ ଦଳ ସହିତ ରଖାଯାଇଛି । ଏହି ସବୁ ଖେଳାଳି ପୂରା ବିଶ୍ୱ କପରେ ଭାରତୀୟ ଦଳ ସହିତ ରହିବେ । ବିସିସିଆଇ ଟି-୨୦ ବିଶ୍ୱ କପ୍ ପାଇଁ ଦ୍ରୁତ ବୋଲରଙ୍କୁ ଅଧିକ ଗୁରୁତ୍ୱ ଦେଇଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ଖେଳାଳିଙ୍କୁ ଆଉ ସେତେଟା ନେଟ୍ ସେସନ ମିଳିବ ନାହିଁ । ଏହି କାରଣରୁ ବିସିସିଆଇ ଚୟନକର୍ତ୍ତା ଉଚିତ୍ ମଣିଥିଲେ ଯେ, ଏହି ସବୁ ବୋଲରଙ୍କୁ ସୈୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ଖେଳିବା ଉଚିତ୍ । ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ନଭେମ୍ବର ୪ରୁ ଆରମ୍ଭ ହେଉଛି ।

ଆଇପିଏଲ ୨୦୨୧ରେ ହର୍ଷଲ ପଟେଲ୍ ସବୁଠୁ ଅଧିକ ୱିକେଟ୍ ନେଇଥିବା ବେଳେ ଅଭେଶ ଖାନ ଏହି ତାଲିକାରେ ଦ୍ୱିତୀୟରେ ଥିଲେ । ଜମ୍ମ-କଶ୍ମୀରର ଦ୍ରୁତ ବୋଲର ଉମରାନ ମଲିକ ମାତ୍ର ତିନୋଟି ମ୍ୟାଚରେ ନିଜର ଗତିରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସେ ଚଳିତ ଆଇପିଏଲ ସିଜିନରେ ସବୁଠୁ ଦ୍ରୁତ ବଲ୍ ଫିଙ୍ଗିଥିଲେ । ଏହା ପରେ ଚୟନକର୍ତ୍ତା ତାଙ୍କୁ ଦଳ ସହ ୟୁଏଇରେ ରହିବାକୁ କହିଥିଲେ ।

Get real time updates directly on you device, subscribe now.