fbpx

ତାଲିବାନିଙ୍କ ପାଖରେ ଦେଶ ଚଳାଇବା ପାଇଁ ନାହିଁ ଟଙ୍କା

କାବୁଲ: ଆଫଗାନିସ୍ତାନ ମାଡି ବସିବା ପରେ ଏବେ ଦେଶରେ ଘୋର ଆର୍ଥିକ ସଂକଟ ଦେଖାଦେଇଛି । ତେଣୁ ତାଲିବାନ ଏବେ ସହାୟତା ମାଗିବା ଆରମ୍ଭ କରିଛି । ଦ୍ଵିତୀୟ ଥର କ୍ଷମତାକୁ ଆସିଥିବା ତାଲିବାନ ଆଫଗାନିସ୍ତାନର ପୁନର୍ଗଠନ ପାଇଁ ପାଣ୍ଠି ଯୋଗାଇଦେବାକୁ ବିଭିନ୍ନ ରାଷ୍ଟ୍ରକୁ ନିବେଦନ କରିଛି । ଏହି ପରିପ୍ରେକ୍ଷୀରେ ତାଲିବାନ ଭାରତର ସହଯୋଗ ମଧ୍ୟ ଲୋଡ଼ିଛି। ‘ଦେଶରେ ଏବେ ୭୦ପ୍ରତିଶତ ଜନତା ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଗତ ଦୁଇ ଦଶନ୍ଧି ଯୁଦ୍ଧ ଓ ରକ୍ତପାତରେ ବିତିଛି। ଏବେ ସେମାନଙ୍କ ପାଇଁ ମାନବିକ ଦୃଷ୍ଟିକୋଣରୁ ସହାୟତା ଲୋଡ଼ୁଛୁ’ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି। ନିକଟରେ ଏକ ରିପୋର୍ଟରେ ଜାତିସଂଘ ପକ୍ଷରୁ ଆଫଗାନିସ୍ତାନରେ ଆଗକୁ ଦେଖାଯିବାକୁ ଥିବା ଆର୍ଥିକ ତଥା ଅନାହାର ସଂପର୍କରେ କୁହାଯାଇଥିଲା ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନର ଆଗମନ ପରେ ବିଶ୍ୱର ସମସ୍ତ ଦୂତାବାସ ଖାଲି ହୋଇଯାଇଛି । ୬୦ରୁ ଅଧିକ ରାଷ୍ଟ୍ର ସମେତ ଆର୍ଥିକ ସଂଗଠନଗୁଡ଼ିକ ସହାୟତା ବନ୍ଦ କରିଦେବା ପରେ ଏହି ମୌଳବାଦୀ ସଂଗଠନ ବିବ୍ରତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି । ଏନେଇ ତାଲିବାନ ମୁଖପାତ୍ର ସୁହେଲ ସାହିନ ଆଫଗାନିସ୍ତାନର ପୁନର୍ଗଠନ ସମ୍ପର୍କିତ ଚିତ୍ର ଉପସ୍ଥାପନ କରି କହିଛନ୍ତି ଯେ ବିଶ୍ୱ ଏହି ସରକାରକୁ ସ୍ବୀକୃତି ଦେବା ଆବଶ୍ୟକ । ତାଲିବାନ ଏବେ ସୁଦ୍ଧା ସରକାର ଗଠନରେ ସଫଳ ହୋଇ ନାହିଁ। ଏଥି ପାଇଁ ଏହା ସଂଗ୍ରାମ ଜାରି ରଖିଛି। ସଂଗଠନର ପ୍ରତିନିଧିମାନେ ସେମାନଙ୍କର ଘୋର ବିରୋଧୀ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେଙ୍କ ସହ ବିଭିନ୍ନ ବର୍ଗର ନେତାଙ୍କୁ ଭେଟୁଛନ୍ତି। ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହେବ ବୋଲି ସେ କହିଛନ୍ତି।

ଭାରତ ସମ୍ପର୍କରେ ସେ କହିଛନ୍ତି ଯେ ଆଫଗାନିସ୍ତାନର ପୁନର୍ନିର୍ମାଣ କ୍ଷେତ୍ରରେ ଏହି ରାଷ୍ଟ୍ରର ବେଶ୍‌ ଅବଦାନ ରହିଛି। ଆଫଗାନ୍‌ବାସୀଙ୍କ ହିତ ପାଇଁ ଭାରତ ଦ୍ବାରା କାର୍ଯ୍ୟକାରୀ ଯେଉଁ ପ୍ରକଳ୍ପ ଆବଶ୍ୟକ ତାହା ଜାରି ରହିବ। ଭାରତ ପୂର୍ବତନ ସରକାରଙ୍କ ସମର୍ଥନରୁ ବିରତ ରହିବା ଉଚିତ। ଆଫଗାନବାସୀଙ୍କ ସହିତ ଭାରତର ସମ୍ପର୍କ ରହିଛି, ଏହା ବଳବତ୍ତର ରହିବା ଦରକାର। ଭାରତ ଭଲ ସମ୍ପର୍କ ରଖିଲେ ତାଲିବାନ ଏହାକୁ ସ୍ବାଗତ କରିବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.