fbpx
BJD SKY
BJD SKY

କରୋନା ପରେ ଟମାଟୋ ଫ୍ଲୁ କୁ ନେଇ ଚେତାବନୀ, ପିଲାଙ୍କ ଶରୀର ଏଭଳି ଲକ୍ଷଣ ଦେଖା ଦେଲା ସତର୍କ ରୁହ

BJD

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଏହାର କାୟା ବିସ୍ତାର କରିବା ପରେ ଏବେ ନୂଆ ନୂଆ ସଂକ୍ରମଣ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । କୋଭିଡ୍‌ ମହାମାରୀ ପରେ ଟମାଟୋ ଫ୍ଲୁ ନାମରେ ଏକ ନୂଆ ରୋଗ ଭାରତ ସମେତ ଅନ୍ୟ କେତେକ ରାଷ୍ଟ୍ରରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି । କେରଳ ଏବଂ ଓଡ଼ିଶାରୁ ଏହି ରୋଗ ଚିହ୍ନଟ ହେବା ପରେ ଏବେ ସମସ୍ତେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ରୋଗକୁ ନେଇ ଡାକ୍ତରମାନେ ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି ।

ଟମାଟୋ ଫ୍ଲୁ ଏକ ନୂଆ ରୋଗ ବୋଲି ସେମାନେ କହିବା ସହ ଏହା ହାତ, ପାଦ ଏବଂ ମୁହଁରେ ବ୍ୟାପୁଥିବା ସୂଚନା ଦେଇଛନ୍ତି । ଟମାଟୋ ଫ୍ଲୁ ରୋଗ ପ୍ରଥମେ କେରଳର କୋଲାମରେ ଚିହ୍ନଟ କରାଯାଇଥିଲା । ଏହି ରୋଗରେ ୮୨ ଜଣ ଶିଶୁ ସଂକ୍ରମିତ ହୋଇଥିଲେ । ଏହି ଶିଶୁମାନଙ୍କ ବୟସ ୫ ବର୍ଷରୁ କମ୍‌ ବୋଲି ସୂଚନା ଦିଆଯାଇଛି ।

ଲାନସେଟ୍‌ ରିପୋର୍ଟ ଅନୁଯାୟୀ, ଭାରତ ଯେତେବେଳେ କରୋନାର ୪ର୍ଥ ଲହର ସହ ମୁକାବିଲା କରିଥିଲା ସେତେବେଳେ ଟମାଟୋ ଫ୍ଲୁ ଜୀବାଣୁ ଶିଶୁମାନଙ୍କ ଠାରେ ଦେଖା ଦେଇଥିଲା । ହାତ, ପାଦ ଓ ମୁହଁରେ ନାଲି ନାଲି ହୋଇ ଫଳିଯିବା ସହ ଏହା ଯନ୍ତ୍ରଣାଦାୟକ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନାଲି ଚିହ୍ନ ଟମାଟୋ ଆକାର ଭଳି ଦେଖାଯାଇଥାଏ । ଏହାର ଲକ୍ଷଣ ଯେମିତି ଯନ୍ତ୍ରଣା ମଧ୍ୟ ସେମିତି । ଶରୀରରେ ଜ୍ୱର ରହିବା ସହ ଗଣ୍ଠିଫୁଲା ଓ ଥକା ଲାଗିବା ଏହାର ଲକ୍ଷଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କେତେକ କ୍ଷେତ୍ରରେ ଜ୍ୱର ସହ ବାନ୍ତି, ଝାଡ଼ା ଓ ଗଣ୍ଠି ଫୁଲିଯିବା ପରି ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ । କେରଳର ଆଞ୍ଚଲ, ନେଡୁଭାଥୁର ଓ ଆର୍ଯ୍ୟଙ୍କାଭୁ ଅଞ୍ଚଳରେ ଏହା ବେଶୀ ପରିମାଣରେ ଦେଖିବାକୁ ମିଳୁଛି ।

ଏଣୁ କେରଳ ପଡ଼ୋଶୀ ରାଜ୍ୟ ତାମିଲନାଡୁ ଏବଂ କର୍ଣ୍ଣାଟକ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏଥିସହ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟରର ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଏ ପର୍ଯ୍ୟନ୍ତ ୨୬ ଜଣ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଖୁସିର କଥା କେରଳ, ଓଡ଼ିଶା ଓ ତାମିଲନାଡୁ ବ୍ୟତୀତ ଏହା ଦେଶର ଅନ୍ୟ କୌଣସି ରାଜ୍ୟକୁ ବ୍ୟାପି ନାହିଁ । ତେବେ ଏହା ଅତ୍ୟନ୍ତ ସଂକ୍ରାମକ ରୋଗ ହୋଇଥିବାରୁ ଏଥିନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.