fbpx

ପାଣି ପାଇଁ ମାଡ : ଶିକ୍ଷକଙ୍କ ପାଇଁ ରଖାଯାଇଥିବା ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ପିଟିଲେ ଶିକ୍ଷକ

ଭରତପୁର : ରାଜସ୍ଥାନ ଜାଲୋରରେ ଗୋଟିଏ ପିଲା ମାଠିଆରୁ ପାଣି ପିଇଥିବାରୁ ତାକୁ ମାଡ ହୋଇଥିଲା । ଏବେ ପୁଣି ସେହି ଭଳି ଘଟଣା ଭରତପୁରରେ ଦେଖିବାକୁ ମିଳିଛି । ଏଠାରେ ସରକାରୀ ସ୍କୁଲର ୭ମ ଶ୍ରେଣୀରେ ପଢୁଥିବା ଏକ ଦଳିତ ଛାତ୍ରକୁ ଶିକ୍ଷକ ପିଟିଥିବା ଘଟଣା ସାମ୍ନାକୁ ଆସିଛି । ଏହାର କାରଣ ଥିଲା ଛାତ୍ର ପାଣି ପିଇଥିଲା ।

ଏହି ଘଟଣା ୮ ତାରିଖରେ ଘଟିଛି । ବୟାନା ଥାନା ଅଞ୍ଚଳରେ ରାଜକୀୟ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପ୍ରାଥନା ସଭା ଚାଲିଥିଲା । ପ୍ରାଥନା ସରିବା ପରେ ଦଳିତ ଛାତ୍ର ଜଣଙ୍କୁ ଶୋଷ ଲାଗିଥିଲା । ସେ ସ୍କୁଲର ପାଣି ଟାଙ୍କି ପାଖକୁ ଯାଇଥିଲେ କିନ୍ତୁ ସେଠାରେ ପାଣି ନଥିଲା । ଏହା ପରେ ସେ ଶିକ୍ଷକମାନଙ୍କ ପାଇଁ ରଖାଯାଇଥିବା ପାଣିକୁ ପିଇଥିଲେ । ଶିକ୍ଷକ ଗଙ୍ଗାରାମ ଗୁଜର ଛାତ୍ର ଜଣଙ୍କୁ ଲାତ, ଗୋଇଠା ଏବଂ ବାଡିରେ ପିଟିଥିଲେ । ଯାହା ଫଳରେ ଛାତ୍ରଙ୍କ ପିଠିରେ ଗଭୀର ଆଘାତ ଲାଗିଛି ।

ଛାତ୍ରଜଣଙ୍କ ଘରକୁ ଫେରି ସବୁ କଥା ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ସବୁ ଗ୍ରାମବାସୀ ଏକାଠି ହୋଇ ସ୍କୁଲରେ ପହଞ୍ଚିଥିଲେ । ଏହା ପରେ ଦଳିତ ଲୋକମାନେ ଶିକ୍ଷକ ଗଙ୍ଗାରମଙ୍କୁ ଧରି ବାଡେଇବା ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରି ପୋଲିସ ଷ୍ଟେସନ ନେଇଥିଲେ ।

ଛାତ୍ର ଜଣକ କହିଥିଲେ ‘ମୁଁ ୭ମ ଶ୍ରେଣୀରେ ପାଠ ପଢେ । ୮ ସେପ୍ଟମ୍ବରରେ ସ୍କୁଲରେ ପ୍ରାଥନା ସଭା ସରିବା ପରେ ମୁଁ ଶ୍ରେଣୀ ଗ୍ରୃହରେ ଝାଡୁ କରିଥିଲି, ଏହା ପରେ ମତେ ଶୋଷ ଲାଗିଥିଲା । କିନ୍ତୁ ସ୍କୁଲ ଟାଙ୍କିରେ ପାଣି ନଥିଲା । ପରେ ଅଧ୍ୟାପକଙ୍କ ପାଇଁ ଯେଉଁ କ୍ୟାମ୍ପରରେ ପାଣି ଥିଲା ସେଠାକୁ ଯାଇଥିଲୁ। ସେଠାରେ ପ୍ରଥମେ ଜଣେ ଉଚ୍ଚ ଜାତିର ପିଲା ପାଣି ପିଇବା ପରେ ମୁଁ ପାଣି ପିଇଥିଲି । ଏହା ଜାଣିବା ପରେ ଶିକ୍ଷକ ଗଙ୍ଗାରାମ ସବୁ ପିଲାଙ୍କୁ ଡାକି ସମସ୍ତଙ୍କ ଜାତି ପଚାରିଥିଲେ, ଯେତେବେଳେ ମୁଁ ମୋର ଜାତି କହିଥିଲି ସେତେବେଳେ ଶିକ୍ଷକ ମତେ ବାଡେଇଥିଲେ ।’ ଛାତ୍ରର ପରିବାର ଲୋକ ଏହି ଘଟଣା ପରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ।

Get real time updates directly on you device, subscribe now.