fbpx

ଟିମ ଇଣ୍ଡିଆ ନଜରରେ Asia Cup ଟ୍ରଫି: ଫାଇନାଲରେ ଶ୍ରୀଲଙ୍କାକୁ ଦେଲା କଷ୍ଟସାଧ୍ୟ ଟାର୍ଗେଟ

ନୂଆଦିଲ୍ଲୀ: ଆଜି ମହିଳା ଏସିଆ କପ୍ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ବ୍ୟାକଫୁଟକୁ ଠେଲି ଦେଇଛି ଟିମ ଇଣ୍ଡିଆ । ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଏକ ରୋମାଞ୍ଚକର ଟାର୍ଗେଟରେ ପହଞ୍ଚିଛି ଭାରତୀୟ ମହିଳା ଦଳ । ଫାଇନାଲ ବିଜୟ ପାଇଁ ଶ୍ରୀଲଙ୍କାକୁ ୧୬୬ ରନର ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୬ ୱିକେଟ ହରାଇ ୧୬୫ ରନ୍ କରିବାରେ ସକ୍ଷମ ହୋଇଛି ।

ମହିଳା ଏସିଆ କପ୍ ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର । ପ୍ରଥମେ ବ୍ୟାଟିଂ କରି ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଏବଂ ଶେଫାଳୀ ବର୍ମା ଭଲ ଆରମ୍ଭ କରିଥିଲେ । କିନ୍ତୁ ଶେଫାଳୀ ବର୍ମା ୧୬ ରନ୍ କରି ପାଭିଲିୟନ୍ ଫେରିଥିଲେ । ଏହାପରେ ସ୍ମୃତି ଗୋଟିଏ ପାଖରେ ରହି ଦଳକୁ ବଡ଼ ସ୍କୋର ଦେବାରେ ପ୍ରମୁଖ୍ୟ ଭୂମିକା ତୁଲାଇଛନ୍ତି । ମାତ୍ର ୪୭ ବଲରୁ ୬୦ ରନର ଏକ ଧୂଆଁଧାର ଇନିଂସ ଖେଳିଛନ୍ତି ମନ୍ଧାନା । ସ୍ମୃତି ମନ୍ଧାନାଙ୍କ ଏହି ଦମଦାର ପାଳିରେ ୧୦ଟି ଚୌକା ସାମିଲ ରହିଛି । ଏହାବ୍ୟତୀତ ୱିକେଟ କିପର ରିଚା ଘୋଷ୍ ୧୪ଟି ବଲରୁ ୪ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୦ ରନ୍ କରିଛନ୍ତି । ସେହିପରି ଜେମିମା ରୋଡ୍ରିଗ୍ସ ମଧ୍ୟ ୧୬ ବଲରୁ ୩ଟି ଚୌକା ଏବଂ ଗୋଟିଏ ଛକା ସହ ୨୯ ରନ୍ କରିବାରେ ସଫଳ ହୋଇଛନ୍ତି ।

 

ତେବେ ପ୍ରଥମ ଇନିଂସରେ ସୁନ୍ଦର ବ୍ୟାଟିଂ ସହ ଶ୍ରୀଲଙ୍କାକୁ ୧୬୬ ରନର ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଶ୍ରୀଲଙ୍କା ପକ୍ଷରୁ କଭିଷା ଦିଲ୍ହାରୀ ୨ଟି ୱିକେଟ ହାସଲ କରିଥିବା ବେଳେ ପ୍ରବୋଧନୀ, ସଚିନି ନିଶାନସଲା ଏବଂ ଅଧିନାୟକ ଚମାରୀ ଅଥାପଟ୍ଟୁ ଗୋଟିଏ ସଫଳତା ହାସଲ କରିଛନ୍ତି । ତେବେ ଭାରତର ଏହି ଟାର୍ଗେଟ ଶ୍ରୀଲଙ୍କା ପାଇଁ କଷ୍ଟସାଧ୍ୟ ମନେ ହେଉଛି । ଟିମ ଇଣ୍ଡିଆର ବୋଲିଂ ୟୁନିଟ ଖୁବ ଶକ୍ତିଶାଳୀ ରହିଥିବାରୁ ଶ୍ରୀଲଙ୍କା ଏହି ଲକ୍ଷ୍ୟ ହାସଲ କରିବାରେ ଫେଲ ମାରିପାରେ । ତେଣୁ ଟିମ ଇଣ୍ଡିଆ ଚଳିତବର୍ଷ ନିଜର ଅଷ୍ଟମ ଏସିଆ କପ୍ ଟ୍ରଫି ହାସଲ କରିବ ବାଲି ଆଶା କରାଯାଉଛି ।

Get real time updates directly on you device, subscribe now.