fbpx

WTC 2023-25: ୫ଟି ମ୍ୟାଚରେ ଜିତିଲେ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ସବୁ ଅଙ୍କ ବିଗାଡ଼ିଦେଲେ ବର୍ଷା ଓ ଶ୍ରୀଲଙ୍କା ଟିମ୍

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିଲେ ହେଁ ତାହା ବିଗିଡ଼ିବାର ସମ୍ଭାବନା ରହିଛି । ତେଣୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଫାଇନାଲ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏ କ୍ଷେତ୍ରରେ ଭାରତ ପାଇଁ ଦୁଇଟି ପ୍ରତିବନ୍ଧକ ସାମ୍ନାକୁ ଆସିଥିବା ବେଳେ ଫାଇନାଲ ଖେଳିବା ପାଇଁ ଭାରତ ପାଖରେ କେବଳ ଗୋଟିଏ ମାତ୍ର ରାସ୍ତା ରହିଛି । ଯଦି ଏହି ସୁଯୋଗକୁ ଟିମ୍ ଇଣ୍ଡିଆ ହାତଛଡ଼ା କରେ, ତେବେ ଭାରତ ୨୦୨୩-୨୫ ଡବ୍ଲ୍ୟୁଟିସି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇପାରେ ।

ପ୍ରକୃତ କଥା ହେଉଛି, ବର୍ଷା ଓ ଶ୍ରୀଲଙ୍କା ଟିମ୍ ଏବେ ଭାରତର ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି । ବର୍ତ୍ତମାନ ସମୟରେ ଭାରତ-ବାଂଲାଦେଶ ମଧ୍ୟରେ କାନପୁର ଟେଷ୍ଟ ଖେଳାଯାଉଥିବା ବେଳେ ବର୍ଷା କାରଣରୁ ତାହା ବାତିଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଶ୍ରୀଲଙ୍କା ୨-୦ରେ କ୍ଲିନ୍ ସ୍ୱିପ କରିବା ପରେ ସିଂହଳୀ ଟିମ୍ ଏବେ ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛି । ସେହିପରି ଏହି ପରାଜୟ ପରେ ନ୍ୟୁଜିଲାଣ୍ଡ ୪ ନମ୍ବର ସ୍ଥାନରୁ ସିଧାସଳଖ ୭ ନମ୍ବର ସ୍ଥାନକୁ ଖସି ଯାଇଛି ।

ଆଗକୁ ଶ୍ରୀଲଙ୍କା ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ଖେଳିବ । ତେଣୁ ଶ୍ରୀଲଙ୍କା ଯଦି ଏହି ଦୁଇଟି ଟେଷ୍ଟ ସିରିଜରେ ବିଜୟୀ ହୁଏ ତେବେ ସେ ଡବ୍ଲ୍ୟୁଟିସି ଫାଇନାଲରେ ସ୍ଥାନ ପକ୍କା କରିପାରେ । ଏଭଳି ସ୍ଥିତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଭାରତ ଓ ଅଷ୍ଟ୍ରେଲିଆ ଏବେ ବଡ଼ ଚାପରେ ରହିଛନ୍ତି । କାରଣ ଶ୍ରୀଲଙ୍କା ଯଦି ଫାଇନାଲ ଖେଳିବ ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରୁ ଗୋଟିଏ ଟିମକୁ ଫାଇନାଲ ଖେଳିବାରୁ ବଞ୍ଚିତ ହେବାକୁ ପଡ଼ିବ ।

କାନପୁର ଟେଷ୍ଟରେ ଏହା ମଧ୍ୟରେ ୩ ଦିନ ବିତିଯାଇଥିଲେ ହେଁ ମାତ୍ର ୩୫ ଓଭରର ଖେଳ ହୋଇଛି । ବାଂଲାଦେଶ ୩ ୱିକେଟର ୧୦୭ ରନ୍ ସଂଗ୍ରହ କରିଛି । ଆଉ ୨ ଦିନରେ ମ୍ୟାଚର ଫଳାଫଳ ନିର୍ଦ୍ଧାରଣ ହେବା ନିହାତି ମୁସ୍କିଲ ଥିବାରୁ ମ୍ୟାଚ ବାତିଲ୍ ହେବା ନେଇ ଅନୁମାନ କରାଯାଉଛି । କାନପୁର ଟେଷ୍ଟ ପରେ ଭରାତ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନରେ ମାତ୍ର ୮ଟି ମ୍ୟାଚ ଖେଳିବ । ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ସେଥିମଧ୍ୟରୁ ୫ଟିରେ ଜିତିବାକୁ ପଡ଼ିବ । ୫ଟି ମ୍ୟାଚରେ ଜିତିଲେ ଫାଇନାଲରେ ପହଞ୍ଚିବାକୁ ଭାରତକୁ ଅନ୍ୟ କୌଣସି ଟିମର ବିଜୟ / ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସବୁଠାରୁ ବଡ଼ କଥା ହେଉଛି ଆଗାମୀ ୮ଟି ମ୍ୟାଚରେ ଭାରତ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ତେଣୁ ଫାଇନାଲରେ ପହଞ୍ଚିବାକୁ ହେଲେ ରୋହିତ ବାହିନୀକୁ କଡ଼ା ସଂଘର୍ଷ କରିବାକୁ ପଡ଼ିବ ।

Get real time updates directly on you device, subscribe now.