୧୨ ବର୍ଷ ପରେ ଟେଷ୍ଟ ସିରିଜ ହାରିଲା ଟିମ ଇଣ୍ଡିଆ: ଇତିହାସ ସୃଷ୍ଟି କଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ବେଙ୍ଗଲୁରୁ ପରେ ପୁଣେ ଟେଷ୍ଟ ହାତଛଡ଼ା କରି ସିରିଜ ହାତଛଡ଼ା କରିଛି ରୋହିତ ସେନା । ୧୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ ପରାସ୍ତ ହୋଇଛି । ଉଭୟ ମ୍ୟାଚରେ ଭାରତ ପରାସ୍ତ ହେବା ପରେ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ଦଳ ସଂଘର୍ଷ କରିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଭାରତ ହାତରୁ ସିରିଜ ଛଡ଼ାଇ ନେବା ପରେ ନ୍ୟୁଜିଲାଣ୍ଡ ଏକ ଇତିହାସ ସୃଷ୍ଟି କରିଛି । ଭାରତୀୟ ମାଟିରେ ପ୍ରଥମ ଟେଷ୍ଟ ସିରିଜ ବିଜୟ ହାସଲ କରିଛି କିୱି ସେନା । ଦ୍ୱିତୀୟ ଟେଷ୍ଟକୁ ୧୧୩ ରନରେ ବିଜୟୀ ହୋଇ ସିରିଜ ଉପରେ ମଧ୍ୟ ଦଳ କବଜା କରିଛି ।

ବେଙ୍ଗଲୁରୁ ବିପକ୍ଷ ମ୍ୟାଚରେ ପରାସ୍ତ ହେବା ପରେ ପୁଣେ ଟେଷ୍ଟ ମଧ୍ୟ ହାତଛଡ଼ା କରିଛି ଟିମ ଇଣ୍ଡିଆ । ୧୧୩ ରନରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ବୃହତ୍ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି । ଅଧିନାୟକ ଟମ୍ ଲାଥମଙ୍କ ଦମଦାର ଅର୍ଦ୍ଧଶତକ ଏବଂ ବୋଲିଂ ୟୁନିଟର ଘାତକ ବୋଲିଂ ନ୍ୟୁଜିଲାଣ୍ଡକୁ ଏହି ବିଜୟ ଭେଟି ଦେଇଛି । ଏପଟେ ଟିମ ଇଣ୍ଡିଆର ଦୁର୍ବଳ ବ୍ୟାଟିଂ ଲାଇନ୍ ଅପ୍ ପରାଜୟର ପ୍ରମୁଖ କାରଣ ପାଲଟିଛି । ତେବେ ଏହି ମ୍ୟାଚରେ ପରାସ୍ତ ହେବା ସହ ଭାରତ ସିରିଜ ମଧ୍ୟ ହାତଛଡ଼ା କରିଛି । ୧୨ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଟେଷ୍ଟ ସିରିଜ ପରାସ୍ତ ହୋଇଛି ରୋହିତ ସେନା । ସେପଟେ ନ୍ୟୁଜିଲାଣ୍ଡ ପ୍ରଥମ ଥରେ ଭାରତୀୟ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ଉପରେ କବଜା କରିବାରେ ସଫଳ ହୋଇଛି । ୬୯ ବର୍ଷର ଅପେକ୍ଷା ଫଳ ପାଇଛନ୍ତି ଅଧିନାୟକ ଟମ୍ ଲାଥମ୍ ।

ଦ୍ୱିତୀୟ ଇନିଂସରେ ଭାରତକୁ ୩୫୯ ରନର ଲକ୍ଷ୍ୟ ମିଳିଥିବା ବେଳେ ଟିମ ଇଣ୍ଡିଆ ମାତ୍ର ୨୪୫ ରନରେ ଅଲ ଆଉଟ ହୋଇ ପରାସ୍ତ ହୋଇଛି । ଭାରତ ପକ୍ଷରୁ ଯଶସ୍ୱୀ ଜଏସ୍ୱାଲ ୭୭ ରନ୍ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୪୨ ରନ୍ କରିଛନ୍ତି । ଏହାବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ତ ଏବଂ ସରଫରାଜ ଖାନଙ୍କ ଭଳି ପ୍ରମୁଖ ଖେଳାଳି ୨ ଅଙ୍କ ଛୁଇଁବାରେ ଅସଫଳ ହୋଇଛନ୍ତି । ଯାହାଫଳରେ ଦଳର ମଧ୍ୟକ୍ରମ ବ୍ୟାଟିଂ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇ ଯାଇଛି । ଶୁଭମନ ଗିଲ୍ ୨୩ ରନରେ ଆଉଟ ହୋଇଥିବା ବେଳେ ବିରାଟ ୧୭, ରବିଚନ୍ଦ୍ରନ ଅଶ୍ୱୀନ୧ ୮ ଏବଂ ୱାଶିଂଟନ୍ ସୁନ୍ଦର ୨୧ ରନର ପାଳି ଖେଳି ପାଭିଲିୟନ ଫେରି ଯାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଷ୍ଟାର ସ୍ପିନର ମିଚେଲ ସାଣ୍ଟନର ୬ଟି ୱିକେଟ ନେଇଥିବା ବେଳେ ଅଜାଜ ପଟେଲ ୨ଟି ଏବଂ ଗ୍ଲେନ ଫିଲିପ୍ସ ଗୋଟିଏ ସଫଳତା ହାସଲ କରିଛନ୍ତି ।