ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚ୍ ଏବଂ ସରିଜ ପରାଜୟ ପରେ ଟିମ ଇଣ୍ଡିଆକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଦଳର ନେତୃତ୍ୱ, ଚୟନ ଏବଂ କୋଚିଙ୍ଗ ଉପରେ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟପ୍ରେମୀ । ତେବେ ଏହାଭିତରେ ଏକ ଖବର ବର୍ତ୍ତମାନ କ୍ରିକେଟ ଜଗତରେ ଆଲୋଚନାର ବିଷୟ ପାଲଟିଯାଇଛି । ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ତେବେ ଏହାପୂର୍ବରୁ ଭାରତ ସିରିଜ ପାଇଁ କୋଚ୍ ପରିବର୍ତ୍ତନ କରିଛି । ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଦଳର କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜାଣିବାକୁ ମିଳିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କୁ କୋଚ୍ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସମୟରେ ଗୌତମ ଗମ୍ଭୀର ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବେ । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଲକ୍ଷ୍ମଣ କୋଚ୍ ଦାୟିତ୍ୱରେ ସୂର୍ଯ୍ୟବାହିନୀ ସହ ରହିବେ । ନଭେମ୍ବର ୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ ହେବାକୁ ସୂଚୀ ରହିଛି । ତେବେ ରିପୋର୍ଟ ଅନୁସାରେ, ଗମ୍ଭୀରଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣ କୋଚ୍ ଭାବରେ ଭାରତ ସହ ଦକ୍ଷିଣଆଫ୍ରିକା ଗସ୍ତ କରିବେ । ଏହାସହିତ ସାଇରାଜ ବହୁତୁଲେ, ହୃଷିକେଶ କାନିତକର ଏବଂ ଶୁଭଦୀପ ଘୋଷ ଏହି ସିରିଜରେ ଲକ୍ଷ୍ମଣଙ୍କ କୋଚିଙ୍ଗ ଷ୍ଟଶପ ଭାବରେ ଟିମ ଇଣ୍ଡିଆ ସହ ରହିବେ ।
ଏହାପୂର୍ବରୁ ଅନେକ ସିରିଜରେ କୋଚ୍ ଭୂମିକାରେ ଦାୟିତ୍ୱ ତୁଲାଇ ସାରିଛନ୍ତି ଭିଭିଏସ ଲକ୍ଷ୍ମଣ । ତାଙ୍କ କୋଚିଙ୍ଗ ଭାରତ ଭଲ ପ୍ରଦର୍ଶନ ମଧ୍ୟ ଜାରି ରଖିଛି । ତେବେ ଏହି ସିରିଜରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଭାରତ ଚକମା ଦେବ ବୋଲି ଆଶା କରାଯାଉଛି । ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଦଳର ଅଧିନାୟକ ଦାୟିତ୍ୱରେ ରହିଛନ୍ତି ।
ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହ, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟକୁମାର ବୈଶାଖ, ଆଭେଶ ଖାନ୍, ୟଶ ଦୟାଲ ।