ଗାବା ଟେଷ୍ଟ ଡ୍ର ହେବା ପରେ ବଦଳିଲା WTC ପଏଣ୍ଟସ୍: ଫାଇନାଲ୍ ଖେଳିବାକୁ ହେଲେ ଭାରତକୁ କରିବାକୁ ପଡ଼ିବ ଜରୁରୀ କାମ

ନୂଆଦିଲ୍ଲୀ: ବ୍ରିସବେନର ଗାବା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ପଞ୍ଚମ ଦିନରେ ବଡ଼ ରୋମାଞ୍ଚ ଦେଖିବାକୁ ମିଳିଥିଲା । ଭାରତକୁ ୨୭୫ ରନର ଟାର୍ଗେଟ୍ ମିଳିଥିବା ବେଳେ ଏହି ଟେଷ୍ଟରେ ଫଳାଫଳ ବାହାରିବ ବୋଲି ଆଶା କରାଯାଉଥିଲା । ତେବେ ଶେଷ ମୁହୂର୍ତ୍ତରେ ବର୍ଷା ସାଜିଥିଲା ବାଧକ । ଯଦି ଲକ୍ଷ୍ୟ ବଡ଼ ନଥିଲା, ତଥାପି ଅନ୍ତିମ ଦିନରେ ଭାରତୀୟ ପେସର ଯେପରି କମାଲ କଲେ, ଅଷ୍ଟ୍ରେଲିଆ ପେସର କ’ଣ କରିଥାନ୍ତେ ତାହା ଆକଳନ କରିବା କଷ୍ଟକର । ତେବେ ଗାବା ଟେଷ୍ଟ ଡ୍ର ରହିବା ପରେ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ରାସ୍ତା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

ଡବ୍ଲ୍ୟୁଟିସି ପଏଣ୍ଟସ୍ ଟେବୁଲରେ ଦକ୍ଷିଣ ଆଫ୍ରିକା ୬୩.୩୩ ପ୍ରତିଶତ ଅଙ୍କ ସହ ଟପରେ ରହିଛି । ସେହିପରି ଅଷ୍ଟ୍ରେଲିଆ ୫୮.୮୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ଟିମ୍ ୫୫.୮୮ ପ୍ରତିଶତ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି । ଆଗକୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଅବଶିଷ୍ଟ ଦୁଇଟି ଟେଷ୍ଟରେ ଜିତିପାରିଲେ ପଏଣ୍ଟସ ୬୦.୫୨ ପ୍ରତିଶତ ଅଙ୍କ ହୋଇଯିବ ଓ ସହଜରେ ଫାଇନାଲରେ ପହଞ୍ଚିଯିବ । ଏପରି ସ୍ଥିତିରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ଖେଳାଯିବ ।

ସେହିପରି ଅନ୍ୟ ଏକ ସମୀକରଣ ମଧ୍ୟ ସାମ୍ନାକୁ ଆସୁଛି । ଯଦି ଭାରତୀୟ ଟିମ୍ ଗୋଟିଏ ଜିତେ ଓ ଅନ୍ୟଟି ଡ୍ର କରେ ତେବେ ଏପରି ସ୍ଥିତିରେ ଶ୍ରୀଲଙ୍କା ଉପରେ ନିର୍ଭର କରିବାକୁ ପଡ଼ିବ । ବର୍ଡର-ଗାଭାସ୍କର ଟ୍ରଫି ପରେ ଶ୍ରୀଲଙ୍କା ଗସ୍ତରେ ଯିବ ଅଷ୍ଟ୍ରେଲିଆ । କଙ୍ଗାରୁ ସିଂହଳି ଠାରୁ ହାରିଯାଉ, ଏହା ଟିମ୍ ଇଣ୍ଡିଆ ଚାହିଁବ । ଯଦି ଅଷ୍ଟ୍ରେଲିଆ ସିଂହଳି ବିପକ୍ଷରେ ସିରିଜ ଜିତିଯିବ, ତେବେ କଙ୍ଗାରୁ ଟିମ୍ ଇଣ୍ଡିଆକୁ ଫାଇନାଲ ରେସରୁ ଆଉଟ୍ କରିଦେବ ।