fbpx

ଆଜି ଇଂରେଜଙ୍କ ମୁକାବିଲା କରିବ ଭାରତ, ଋଷଭଙ୍କ ଅନୁପସ୍ଥିତିରେ କେଏଲ ରାହୁଲ କରିବେ ଓ୍ଵିକେଟ୍ କିପିଂ

ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍। ଏହା ପୂର୍ବରୁ ଭାରତୀୟ ଦଳ ନିଜର ପ୍ରସ୍ତୁତି ଜୋରଦାର କରିବାକୁ ଚାହୁଁଛି। ଏହି କ୍ରମରେ ମଙ୍ଗଳବାରଠୁ ଭାରତୀୟ ଦଳ ଇଂଲଣ୍ଡ କାଉଣ୍ଟି ଏକାଦଶ ବିପକ୍ଷରେ ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ଏହି ତିନି ଦିନିଆ ଅଭ୍ୟାସ୍ ମ୍ୟଚରେ ଲୋକେ ରାହୁଲ ଭାରତୀୟ ଦଳର ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳିବେ।

ଭାରତୀୟ ଦଳରେ ଋଷଭ ପନ୍ତ ଓ ଋଦ୍ଧିମାନ ଶାହାଙ୍କ ରୂପେ ଦୁଇ ଜଣ ଓ୍ଵିକେଟ୍ କିପର ଅଛନ୍ତି। ହେଲେ ଏହି ଦୁଇ ଖେଳାଳି ଅଭ୍ୟାସ୍ ମ୍ୟାଚ୍ ଖେଳିବେ ନାହିଁ। ପନ୍ତ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅନ୍ୟପଟେ ଶାହା ଜୁଲାଇ ୨୪ ପର୍ଯ୍ୟନ୍ତ ଆଇସୋଲେସନରେ ଅଛନ୍ତି। ସେ ପ୍ରଶିକ୍ଷକ ସହାୟକ ଦୟାନନ୍ଦ ଗରାନୀଙ୍କ ସଂସ୍ପର୍ଶରେ ଆସିଥିଲେ। କାରଣ ପ୍ରଶିକ୍ଷକ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ପନ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଜୈବ ନିରାପତ୍ତା ବଳୟ ବା ବାୟୋ ବବଲରେ ପ୍ରବେଶ କରିବେ। ଅପରପକ୍ଷେ ଆହତ କାରଣରୁ ଓପନିଂ ବ୍ୟାଟସମ୍ୟାନ ଶୁବମାନ ଗିଲ୍ ପୂରା ଟେଷ୍ଟ ସିରିଜରୁ ବାହାରି ଯାଇଛନ୍ତି। ଏବେ ରୋହିତ ଶର୍ମାଙ୍କ ସହ ଓପନିଂ ପାଇଁ ଦଳରେ ମୟଙ୍କ ଅଗ୍ରଓ୍ଵାଲ ଓ କେଏଲ ରାହୁଲ ଅଛନ୍ତି। ଆଶା କରାଯାଉଛି କେଏଲ ରାହୁଲ ଓପନିଂ କରିବେ। ହେଲେ ଟେଷ୍ଟ ସିରିଜରେ ତାଙ୍କୁ ମଧ୍ୟ କ୍ରମରେ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି। କିନ୍ତୁ ଆଜିଠୁ ଆରମ୍ଭ ହେଉଥିବା କାଉଣ୍ଟି ବିପକ୍ଷ ଅଭ୍ୟାସ୍ ମ୍ୟାଚରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଓପନିଂ କରିବାକୁ ସୁଯୋଗ ମିଳିପାରେ।

ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ଵିନ, ଲୋକେଶ ରାହୁଲ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଓ୍ଵାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବ।

Get real time updates directly on you device, subscribe now.