fbpx

ଦ୍ଵିତୀୟ ଦିନିକିଆ: ପାକିସ୍ତାନ ଓ ଅଷ୍ଟ୍ରେଲିଆକୁ ପଛରେ ପକାଇ ଆଜି ଇତିହାସ ରଚିପାରେ ଭାରତୀୟ ଦଳ

ନୂଆଦିଲ୍ଲୀ : ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍। ଯଦି ଏହି ମୁକାବିଲା ଦଳ ଜିତିନିଏ ତେବେ ଇତିହାସ ରଚିବ ଭାରତ। ଦିନିକିଆ କ୍ରିକେଟର ଇତିହାସରେ କୌଣସି ଗୋଟିଏ ଦଳ ବିରୋଧରେ ସବୁଠୁ ଅଧିକ  ବିଜୟ ହାସଲ କରିବାର ରେକର୍ଡ କରିପାରେ ଭାରତୀୟ ଦଳ। ବର୍ତ୍ତମାନ ଭାରତ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ଯୁଗ୍ମ ଭାବେ ଏହି ମାମଲାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି।

ଭାରତ ରବିବାର ପ୍ରଥମ ଦିନିକିଆ ଜିତିବା ପରେ ଶ୍ରୀଲଙ୍କା ବିପକ୍ଷରେ ଦଳର ଏହା ୯୨ତମ ବିଜୟ ଥିଲା। ପୁଣି ଆଜିର ମ୍ୟାଚ୍ ଜିତିଲେ ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିବ। ଏଥିସହ ଶ୍ରୀଲଙ୍କା ବିରୁଦ୍ଧରେ ଭାରତର ଏହା କ୍ରମାଗତ ୯ମ ଦ୍ଵିପାକ୍ଷିକ ଦିନିକିଆ ସିରିଜ ବିଜୟ ହେବ। ଭାରତୀୟ ଦଳ ଶିଖର ଧାଓ୍ଵନଙ୍କ ଅଧିନାୟକତ୍ଵରେ ଏହି ସିରିଜ୍ ଖେଳୁଛି।

ସୂଚନାଯୋଗ୍ୟ, ପାକିସ୍ତାନ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ୯୨ ଦିନିକିଆ ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୯୨ ଥର ହରାଇଛି। ଭାରତ ଯଦି ଶ୍ରୀଲଙ୍କା ବିପକ୍ଷରେ ୯୩ତମ ବିଜୟ ହାସଲ କରେ ତେବେ ଏହା ଦଳର ବିଶ୍ଵ ରେକର୍ଡ ହେବ। ଭାରତ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ୫୫-୫୫ ମ୍ୟାଚ୍ ଜିତିଥିବା ବେଳେ ପରାଜୟ କମ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏହି ରେକର୍ଡ ୫୫-୭୩ ରହିଛି। ଦକ୍ଷିଣ ଆଫ୍ରିକା ବିରୋଧରେ ଦଳର ବିଜୟ-ପରାଜୟ ରେକର୍ଡ ୩୫-୪୬ ରହିଛି।

ପ୍ରଥମ ମ୍ୟାଚରୁ ହିଁ ଭାରତୀୟ ଦଳ ଘରୋଇ ଶ୍ରୀଲଙ୍କାକୁ ଚାପରେ ରଖିଛି। ପ୍ରଥମ ମ୍ୟାଚର ପ୍ରଦର୍ଶନ ଦୋହରାଇ ଭାରତୀୟ ଦଳ ଦ୍ଵିତୀୟ ମ୍ୟାଚ୍ ଜିତି ସିରିଜ ହାତେଇବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଆଜିର ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରେ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ଶିଖର ଧାଓ୍ଵନ(ଅଧିନାୟକ), ପୃଥ୍ଵୀ ଶ, ଇଶାନ କିଶନ, ସୂର‌୍ୟ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଦୀପକ ଚହର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ଵର କୁମାର।

Get real time updates directly on you device, subscribe now.