ନୂଆଦିଲ୍ଲୀ: ଶୁକ୍ରବାର ଏଡିଲେଡ୍ ଓଭାଲରେ ଭାରତ- ଆଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା । କିନ୍ତୁ ରୋହିତ ଶର୍ମା ଦଳରେ ପ୍ରତ୍ୟାବର୍ତ୍ତନ କରିବା ପରେ ମ୍ୟାନେଜମେଣ୍ଟ ସାମ୍ନାରେ ବଡ଼ ଦ୍ୱନ୍ଦ୍ୱ ଦେଖାଦେଇଛି । ଓପେନର ଭାବେ ଜଶସ୍ୱୀ ଜୟସୱାଲଙ୍କ ସହ କିଏ ଜୋଡ଼ିଦାର ରହିବେ ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । କହିରଖୁଛୁ କେ. ଏଲ୍ ରାହୁଲ ଏବଂ ଜଶସ୍ୱୀଙ୍କ ଓପେନିଂ ପାର୍ଟନରସିପ୍ ପର୍ଥ ଟେଷ୍ଟର ୨ୟ ଇନିଂସରେ ୨୦୧ ସଂଗ୍ରହ କରିବାରେ ସଫଳ ହୋଇଥିଲା ।
ଏଡିଲେଡ୍ ଓଭାଲରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ଭାରତୀୟ ଦଳର ଓପେନିଂ ଜୋଡ଼ିକୁ ନେଇ ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ଏହି ନିଷ୍ପତ୍ତି ରୋହିତଙ୍କ ଉପରେ ଛାଡ଼ି ଦେବା ଉଚିତ କି ସେ ଇନିଂସର ପ୍ରାରମ୍ଭରେ ଖେଳିବାକୁ ଚାହିଁବେ ନା ମିଡିଲ ଅର୍ଡରରେ । ତାଙ୍କ ନିଷ୍ପତ୍ତି ଭାରତୀୟ ଦଳ ପାଇଁ ନିର୍ଣ୍ଣାୟକ ମୋଡ ସାବ୍ୟସ୍ତ ହେବ ।’ ସେ ଆହୁରି ମଧ୍ୟ କହିଛନ୍ତି କି ରୋହିତ ଶର୍ମା ଜଣେ ଅଭିଜ୍ଞ ଖେଳାଳି । ସେ ଜାଣିପାରିବେ କି ଅଷ୍ଟ୍ରେଲିଆରେ କେଉଁ ବ୍ୟାଟିଂ ସ୍ଥିତି ତାଙ୍କ ପାଇଁ ବିପଜ୍ଜନକ । ମିଡିଲ ଅର୍ଡ଼ରରେ ତାଙ୍କ ଅନୁଭବର ଆବଶ୍ୟକତା ରହିଛି କି ନାହିଁ ଏହା ତାଙ୍କ ନିଷ୍ପତ୍ତି । ସେ ଜଣେ ଲିଡର ତେଣୁ ସେ ଏଭଳି ରିସ୍କ ନେଇପାରିବେ । ଏହା ସହ ରବି ଶାସ୍ତ୍ରୀ କହିଛନ୍ତି, ‘ତାଙ୍କ ହିସାବରେ ରାହୁଲଙ୍କୁ ଓପେନିଂରେ ରହିବା ଉଚିତ । କାରଣ ଅଷ୍ଟ୍ରେଲିଆ ଆସିବା ପରେ ରୋହିତ ଅଧିକ ସମୟ ପାଇନାହାଁନ୍ତି ।’