fbpx

ଟିମ ଇଣ୍ଡିଆର ନୂଆ ବୋଲିଂ କୋଚ୍! ଶ୍ରୀଲଙ୍କା ଗସ୍ତ ପାଇଁ ଏହି ଖେଳାଳି ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ବର୍ତ୍ତମାନ ଟିମ ଇଣ୍ଡିଆ ଏକ ପରିବର୍ତ୍ତନ ସ୍ତିତିରେ ରହିଛି । ଦଳର କୋଚ୍, ଅଧିନାୟକ ସମେତ ସପୋର୍ଟ ଷ୍ଟାଫ ମଧ୍ୟ ପରିବର୍ତ୍ତନ ହୋଇଛନ୍ତି । ତେବେ ଭାରତୀୟ ଦଳରେ ମୁଖ୍ୟ କୋଚ୍ ଏବଂ ଟି-୨୦ରେ ନୂଆ ଅଧିନାୟକ ମିଳି ସାରିଥିବା ବେଳେ ଏବେ ବୋଲିଂ ଏବଂ ଫିଲ୍ଡିଂ କୋଚ୍ ସନ୍ଧାନରେ ରହିଛି ଟିମ ଇଣ୍ଡିଆ । ଏଥିପାଇଁ ଅନେକ ନାମକୁ ନେଇ ଚର୍ଚ୍ଚା ଜାରି ରହିଛି । କିନ୍ତୁ ଏ ନେଇ ବର୍ତ୍ତମାନ ଏକ ବଡ଼ ଅପଡେଟ୍ ଆସିଛି । ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳରେ ବୋଲିଂ କୋଚ୍ ଦାୟିତ୍ୱ କିଏ ନେବେ, ସେ ନେଇ ଏକ ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତରେ ସାଇରାଜ ବହୁତୁଲେ ଟିମ ଇଣ୍ଡିଆର ବୋଲିଂ କୋଚ୍ ଦାୟିତ୍ୱ ତୁଲାଇବେ । ତେବେ ଏ ନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ ହୋଇ ନଥିବା ବେଳେ ସାଇରାଜ ବହୁତୁଲେଙ୍କ ନାଁ ଏବେ ସାମନାକୁ ଆସିଛି । ଏହି ଦାୟିତ୍ୱ ପାଇଁ ସାଇରାଜଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତି ଦିଆଯାଇନାହିଁ । କାରଣ ବୋଲିଂ କୋଚ ଭାବରେ ଗମ୍ଭୀରଙ୍କ ପ୍ରଥମ ପସନ୍ଦ ରହିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ନ ମୋର୍କେଲ । ତେବେ ପିତାଙ୍କ ଅସୁସ୍ଥତା ଯୋଗୁଁ ସେ ଏହି ସିରିଜ ପାଇଁ ଉପଲବ୍ଧ ନାହାନ୍ତି । ଏଥିପାଇଁ ସାଇରାଜ ବହୁତୁଲେଙ୍କୁ ବୋଲିଂ କୋଚ୍ ଭାବରେ ଶ୍ରୀଲଙ୍କା ଗସ୍ତରେ ପଠାଇପାରେ ବିସିସିଆଇ । ଅଭିଷେକ ନାୟର ଏବଂ ରୟାନ୍ ଟେନ୍ ଡେଶକୋଟେଙ୍କ ସହ ସହାୟକ କୋଚ୍ ଭାବରେ ସାଇରାଜ ସାମିଲ ହେବେ । ଏଥିସହ ଟି. ଦିଲ୍ଲୀପ ମଧ୍ୟ ଦଳରେ ସାମିଲ ରହିବେ ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ମୋର୍ନ ମୋର୍କେଲ ଉପଲବ୍ଧ ନାହାନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ପିତାଙ୍କ ଅସୁସ୍ଥତା ଯୋଗୁଁ ସେ ଏହି ସିରିଜ ଗସ୍ତ ପାଇଁ ଉପଲବ୍ଧ ନଥିବା କୁହାଯାଇଛି । ତେବେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ପୂର୍ବରୁ ସେ ଟିମ ଇଣ୍ଡିଆ ସହ ସାମିଲ ହୋଇପାରନ୍ତି ।

Get real time updates directly on you device, subscribe now.