fbpx

ସ୍କୁଲ ଆଇକାର୍ଡ ଦେଖାଇ କିଶୋର ନେଇପାରିବେ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଆସନ୍ତା ବର୍ଷ ୩ ତାରିଖରୁ ୧୫-୧୮ବର୍ଷ ପିଲାଙ୍କ କୋଭିଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଟୀକା ପାଇଁ ଉଭୟ ଅନଲାଇନ୍ ଓ ଅନସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ। ଯେଉଁମାନଙ୍କର ଅନ୍ୟ କୌଣସି ପ୍ରମାଣପତ୍ର ନ ଥିବ ସେମାନେ ସ୍କୁଲ ଆଇକାର୍ଡ ଦେଖାଇ ପଞ୍ଜୀକରଣ କରିବା ସହିତ ଟିକା ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ ।

ଡା.ପାଣିଗ୍ରାହୀ କହିଛନ୍ତି, ପିଲାଙ୍କ ଟିକାକରଣ ପାଇଁ ଏକ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଆସନ୍ତା ୩ ତାରିଖରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ‌ଯେଉଁ ଟିକାଦାନ କେନ୍ଦ୍ର ରହିଛି ସେଠାରେ ଦିନ ୮ଟାରୁ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯିବ । ପିଲାମାନଙ୍କୁ କୋଭାକ୍ସିନ୍‌ର ଦୁଇ ଡୋଜ୍ ଟିକା ଦିଆଯିବ। ପ୍ରଥମ ଡୋଜ୍ ନେବାର ୨୮ଦିନ ପରେ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ ।

ଅନ୍ୟପଟେ ଆସନ୍ତା ୧୦ ତାରିଖରୁ ବୟସ୍କମାନଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ବୁଷ୍ଟର ଡୋଜ୍ ନେବା ପାଇଁ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ। ଡାକ୍ତରଙ୍କ ପରାମର୍ଶ ନେଇ ସେମାନେ ଟିକା ନେଇପାରିବେ ବୋଲି ଡା. ପାଣିଗ୍ରାହୀ କହିଛନ୍ତି । ରାଜ୍ୟରେ ୧୫-୧୮ବର୍ଷର ଭିତରେ ୨୫ଲକ୍ଷ ୫୩ହଜାର ପିଲା ରହିଥିବା ବେଳେ ୬୦ବର୍ଷରୁ ଅଧିକ ୫୨ଲକ୍ଷ ୩୭ହଜାର ଲୋକ ରହିଛନ୍ତି।

Get real time updates directly on you device, subscribe now.